ପାରିବାରିକ ବିବାଦକୁ ନେଇ ସାନଭାଇକୁ ହତ୍ୟାକଲା ବଡଭାଇ

ବୌଦ୍ଧ,୨୧/୫ – ପାରିବାରିକ ବିବାଦକୁ ନେଇ ମନମୁଣ୍ଡା ଥାନା ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ମନୋହରପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଗତକାଲି ରାତିରେ ଘଟିଯାଇଛି । ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ମନୋହରପୁର ଗ୍ରାମର ଇଶ୍ୱର କଲତା (୫୦) ଗତକାଲି ରାତି ପ୍ରାୟ ୧୦ ଘଣ୍ଟା ସମୟରେ କୌଣସି ପାରିବାରିକ କାରଣକୁ ନେଇ ନିଜ ସାନ ଭାଇ ସର୍ବେଶ୍ୱର କଲତା (୪୨)ଙ୍କ ସହ ବଚସା ହୋଇଥିଲା । ଉତକ୍ଷିପ୍ତ ହୋଇ ବଡଭାଇ ଇଶ୍ୱର ଗୋଟିଏ ଟାଙ୍ଗିଆରେ ସାନ ଭାଇ ସର୍ବେଶ୍ୱରଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ନିଜ ଘର ଅଗଣାରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଖବରପାଇ ଶଗଡା ଫାଣ୍ଡି ଓ ମନମୁଣ୍ଡା ଥାନା ପୋଲିସ୍‌ ଆଜି ସକାଳେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଡଭାଇକୁ ଆଣି ଅଟକ ରଖିଥିବା ଜଣାପଡିଛି । ପୋଲିସ୍‌ ତଦନ୍ତ କଲା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

Comments (0)
Add Comment