ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୫୭ନଂ ଜାତୀୟ ରାଜପଥ ଅବରୋଧ

ବୌଦ୍ଧ/ଜହ୍ନ ।ପଙ୍କ,୨୩/୬- ଆଜି ସକାଳ ପ୍ରାୟ ୬ ଟା ସମୟରେ ବୌଦ୍ଧ-ବଲାଙ୍ଗୀର ଜାତୀୟ ରାଜପଥ ନଂ ୫୭ ତାଳସରଡା ଗ୍ରାମପଞ୍ଚାୟତ ବାଉଁଶୁଣି ଥାନା ସିଦ୍ଧପୁର ଛକ ନିକଟରେ ଗ୍ରାମର ସରୋଜ କୁମାର ମେହେର ଶୌଚପାଇଁ ଯାଉଥିବା ବେଳେ ବୌଦ୍ଧ ପଟୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେବାରୁ ଗୁରୁତର ଆହତ ହୋଇଥିଲେ । ଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଥିଲା ସ୍ଥାନୀୟ ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୁବର୍ଣ୍ଣପୁର ମେଡ଼ିକାଲକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଗାଁ ରେ ପହଞ୍ଚିବା ପରେ କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀ ଆଜି ଅପରାହ୍ନ ୨ ଘଣ୍ଟା ସମୟରୁ ସିଦ୍ଧପୁୁର ଛକ ନିକଟରେ ଶବ ରଖି ରାସ୍ତା ଅବରୋଧ କରିଥିଲେ । ଖବରପାଇ ଘଟଣା ସ୍ଥଳରେ ତେଲିବନ୍ଧ ରାଜସ୍ୱ ନିରୀକ୍ଷକ ଆଶିଷ ମଲ୍ଲିକ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦେଇଥିଲେ ମଧ୍ୟ ରାସ୍ତା ଅବରୋଧ ହଟିନଥିଲା । ବାଉଁଶୁଣୀ ପୋଲିସ୍‌ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ଶୁଝା କରିଥିଲେ ମଧ୍ୟ ସରୋଜ ପରିବାରର ଏକମାତ୍ର ରୋଜଗାରକ୍ଷମ ଥିବାରୁ ପରିବାର ଲୋକଙ୍କୁ ୫ ଲକ୍ଷ କ୍ଷତିପୂରଣ ଦେବାକୁ ଏବଂ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳକୁ ନଆସିବା ପର୍ଯ୍ୟନ୍ତ ରାସ୍ତାରୁ ହଟିବୁ ନାହିଁ ବୋଲି ଆନ୍ଦୋଳନକାରୀ ଅଡି ବସିଥିଲେ । ପରିବାରର ଏକମାତ୍ର ପୁଅକୁ ହରାଇଥିବାରୁ ମା ଧୈର୍ଯ୍ୟ ହରା ହୋଇ ଚେତାଶୂନ୍ୟ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ବାପା ଜଣେ ପରାଲିସିସ ରୋଗୀ । ତେବେ ବୌଦ୍ଧ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିଠାରୁ ଆବଶ୍ୟକ କ୍ଷତି ପୂରଣର ନିର୍ଭର ପ୍ରତିଶ୍ରୁତି ଦେବାରୁ ସାଢ଼େ ୬ ଟାରେ ରାସ୍ତା ଅବରୋଧ ହଟିଥିଲା । ଦୀର୍ଘ ସମୟ ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ମୋଟର ଅଟକି ରହିଥିଲା । ଫଳରେ ଦୂରଦୁରାନ୍ତକୁ ଯାଉଥିବା ଯାତ୍ରୀମାନେ ହଇରାଣ ହୋଇଥିଲେ ।

Comments (0)
Add Comment