ବୌଦ୍ଧ,୧୪ /୯- ତିନିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲୋକେ ଘରୁ ପଦାକୁ ବାହାରି ପାରୁନଥିବାବେଳେ ଯାତାୟାତ ଠପ୍ ହୋଇପଡିଛି । ଅବିଶ୍ରାନ୍ତ ବର୍ଷା ଲାଗିରହିବା ଫଳରେ ବୌଦ୍ଧ ସହରରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ସହରର ଡ୍ରେନ ଏବଂ ଅନ୍ୟାନ୍ୟ ଜଳ ନିଷ୍କାସନ ପଥ ଅବରୋଧ, ଜବରଦଖଲ, ରାସ୍ତା ଉପରେ ଘର ନିର୍ମାଣ ସାମଗ୍ରୀ ପଡିରହିଥିବା ଯୋଗୁଁ ବର୍ଷାଜଳ ନିଷ୍କାସନ ହୋଇନପାରି ଅନେକ ସ୍ଥାନରେ ଘର ଭିତରକୁ ବର୍ଷାଜଳ ପ୍ରବେଶ କରିଛି । କେତେକ ସ୍ଥାନରେ ଘର ଭାଙ୍ଗି ଯାଇଥିବା ବେଳେ ଅନେକ ସ୍ଥାନରେ ଗଛ ମଧ୍ୟ ଉପୁଡି ପଡିଛି । ସେହିପରି ଗଛ ଉପୁଡି ଜାତୀୟ ରାଜପଥ ଉପରେ ପଡିବା ଯୋଗୁଁ ରାସ୍ତା ଅବରୋଧ ହୋଇଥିବା ବେଳେ ଯାନବାହାନ ଚଳାଚଳ ଦୀର୍ଘ ସମୟ ବନ୍ଦ ରହିଥିଲା । ଅଗ୍ନିଶମ ବିଭାଗ ଦ୍ୱାରା ଗଛ କଟାଯାଇ ଚଳପ୍ରଚଳ ସ୍ୱାଭାବିକ କରାଯାଇଥିଲା । ଗତକାଲି ମଧ୍ୟ ସାରାରାତି ବର୍ଷା ହୋଇଥିବାରୁ ଆଜି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତପରୀକ୍ଷା କେନ୍ଦ୍ର ଓ ଏକ୍ସରେ କେନ୍ଦ୍ରରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଥିବାବେଳେ ରୋଗୀମାନେ ଚିକିତ୍ସା ପାଇଁ ଯିବାଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିପରି ସହରର ଏକ ପୁରୁଣା ଗଛ ଉପୁଡି ଜଣକ ଘର ଉପରେ ପଡିଥିବାବେଳେ ଘରଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ବହୁସ୍ଥାନରେ କଚ୍ଚାଘର ଭାଙ୍ଗିଥିବାବେଳେ ଆଜି ବସଷ୍ଟାଣ୍ଡ ନିକଟରେ ଏକ ଘରର ପାଚେରୀ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା ।
ଆଜି ସକାଳୁ ବୌଦ୍ଧ ଜାତୀୟ ରାଜପଥ ଗମ୍ଭାରିପଦର ଓ ତେଲିବନ୍ଧ ଠାରେ ରାସ୍ତା ଉପରେ ବର୍ଷା ଜଳ ପ୍ରଭାବିତ ହେବାଫଳରେ ବୌଦ୍ଧ ଓ ସୋନପୁରକୁ ଯାତାୟତ ବନ୍ଦ ରହିଥିଲା । ଆଜି ବୌଦ୍ଧ ବ୍ଲକରେ ୨୬୨ ମି.ମି., କଣ୍ଟାମାଳ ବ୍ଲକରେ ୨୩୨ ମି.ମି., ହରଭଙ୍ଗା ବ୍ଲକରରେ ୧୯୪ ମି.ମି ବର୍ଷା ରେକର୍ଡ କରାଯାଇଛି । ସେହିପରି ମହାନଦୀରେ ବିପଦ ସଙ୍କେତ ଜଳସ୍ତର ୮୭.୭୦ମିଟର ରହିଥିବାବେଳେ ଆଜି ସକାଳ ୮ଟା ସୁଦ୍ଧା ମହାନଦୀର ଜଳସ୍ତର ୮୫.୪୫ମିଟର ରହିଛି । ମହାନଦୀର ଜଳସ୍ତର ବଢୁଥିବା ବେଳେ ଏଭଳି ବର୍ଷା ଲାଗି ରହିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।