ବୌଦ୍ଧ,୧୧/୮ – କଣ୍ଟାମାଳ ବ୍ଲକ୍ ବରଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ଉତ୍ତୁର୍ଲା ଗ୍ରାମର ଜଣେ ରୋଗୀଙ୍କୁ କଣ୍ଟାମାଳ ଡାକ୍ତରଖାନାକୁ ଆଣିବା ପାଇଁ ୧୦୮ ଆମ୍ବୁଲାନସ୍ ଡକାଯାଇଥିଲା । ରୋଗୀଙ୍କୁ ଆଣିବା ପାଇଁ ଆମ୍ବୁଲାନସ୍ ସାଙ୍ଗେସାଙ୍ଗେ ବାହାରିଥିଲା କିନ୍ତୁ ପହଁଚି ପାରିଲା ନାହିଁ ରୋଗୀଙ୍କ ଗାଆଁରେ । ରାସ୍ତା ଖରାପ ଯୋଗୁଁ ଉତ୍ତୁର୍ଲା ଗ୍ରାମ ଠାରୁ ପ୍ରାୟ ୩ କିଲୋମିଟର ଦୁର କୁମେଲବନ୍ଧ ନିକଟରେ ଅଟକି ରହିଲା ୧୦୮ ଆମ୍ବୁଲାନସ୍ । ଆମ୍ବୁଲାନସ ରାସ୍ତା ଖରାପ ଯୋଗୁଁ ଯାଇ ପାରୁନଥିବା ହେତୁ ରୋଗୀଙ୍କୁ କୁମେଲବନ୍ଧ ପର୍ଯ୍ୟନ୍ତ କୌଣସି ପ୍ରକାରେ ଆମ୍ବୁଲାନସ ନିକଟକୁ ଆଣିବା ପାଇଁ ୧୦୮ କର୍ମଚାରୀମାନେ ସୂଚନା ଦାତାଙ୍କୁ ଫୋନରେ କହି ଅପେକ୍ଷା କରିଥିଲେ । ଆମ୍ବୁଲାନସ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ କୁମେଲ ବନ୍ଧ ଠାରେ ଅପେକ୍ଷା କରିବା ପରେ ମଧ୍ୟ ଗୁରୁତର ରୋଗୀ ଆସିପାରିନଥିଲେ ଆମ୍ବୁଲାନସ ଯାଏଁ । ଫଳରେ ଆମ୍ବୁଲାନସ ବାଧ୍ୟ ହୋଇ ସନ୍ଧ୍ୟା ହୋଇ ଯିବା ପରେ ଫେରି ଆସିଥିଲା । ରୋଗୀ ଗୁରୁତର ଅବସ୍ଥାରେ ପଡି ରହିଛନ୍ତି ଘରେ ।
ଆଜି ସନ୍ଧ୍ୟାରେ ଘଟିଥିବା ଏଭଳି ଲଜ୍ଜାଜନକ ଘଟଣା ଆମ ତଥାକଥିତ ବିକାଶର ଗୋଟିଏ ନଗ୍ନ ଉଦାହରଣ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି ।