ବୌଦ୍ଧ,୭/୫ – ଆଜି ବୌଦ୍ଧଜିଲ୍ଲାରେ ସାମ୍ବାଦିକମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧା ଘୋଷଣା କରିବା ସହିତ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମାଧାରୀଙ୍କୁ ଟୀକାଦେବାର ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ୩୮ଜଣ ସାମ୍ବାଦିକ ଏହି ଟୀକା ନେଇଛନ୍ତି । ସହରର ପୁରୁଣା ଶିଳ୍ପ ତାଲିମ କେନ୍ଦ୍ର ନିକଟରେ ବୌଦ୍ଧଜିଲ୍ଲା ମୁଖ୍ୟାଳୟରେ ଥିବା ୧୮ଜଣ ସାମ୍ବାଦିକମାନଙ୍କୁ ଟୀକା ଦିଆଯାଇଛି । ସେହିପରି ବାଉଁଶୁଣୀ ଟିକା କେନ୍ଦ୍ରରେ ୩ଜଣ, ମନମୁଣ୍ଡାରେ ୭ଜଣ ଓ ପୁରୁଣାକଟକ କେନ୍ଦ୍ରରେ ୧୦ଜଣ ସାମ୍ବାଦିକ ଏହି ଟିକା ନେଇଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ଆସନ୍ତାକାଲି କଣ୍ଟାମାଳ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ମନମୁଣ୍ଡା, ପଲସାଗୁଡା, କଣ୍ଟାମାଳ, ଘଣ୍ଟାପଡା, ଖୁଣ୍ଟିଗୋରାରେ ଟୀକାନେବା ପାଇଁ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି ।