ଅପରେସନ ସଞ୍ଜିବନୀ, ମହାରାଷ୍ଟ୍ରରେ ଫସିରହିଥିବା ୨୪ ପ୍ରବାସୀ ଶ୍ରମିକ ଉଦ୍ଧାର

ବୌଦ୍ଧ,୧୨ା୫ :- ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ଅପରେସନ ସଞ୍ଜିିବନୀ ମାଧ୍ୟମରେ ବାହାର ରାଜ୍ୟରେ ନିର୍ଯ୍ୟାତିତ ହେଉଥିବା ୨୪ ଜଣ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଗତ ୭ ମାସ ତଳେ ଦାଦନ ସର୍ଦ୍ଦାର ଦ୍ୱାରା ପ୍ରଲୋଭିତ ହୋଇ କଣ୍ଟାମାଳ ବ୍ଲକର ତିନୋଟି ଗ୍ରାମ ମଲ୍ଲିିକୁଦ, ବରଡିପଦର ଓ ବଘାରରୁ ୧୯ ଜଣ ଶ୍ରମିକ ଇଟାଭାଟିରେ କାର୍ଯ୍ୟ କରିବା ପାଇଁ ଯାଇଥିଲେ । ସେମାନଙ୍କ ସହିତ ପରିବାର ସଦସ୍ୟ ଭାବରେ ୫ ଜଣ ନାବାଳକ ଓ ନାବାଳିକା ମଧ୍ୟ ଯାଇଥିଲେ । ଏହି ପ୍ରବାସୀ ଶ୍ରମିକମାନେ ମହରାଷ୍ଟ୍ର ରାଜ୍ୟର ପୁନେଠାରୁ ୮୦ କିଲୋମିଟର ଦୂର ଜାମ୍ବେଠାରେ ଇଟାଭାଟି ନିର୍ମାଣରେ ନିୟୋଜିତ ହୋଇଥିଲେ । ଘରୁ ଯିବା ସମୟରେ ଦାଦନ ସର୍ଦ୍ଦାର ମାସିକ ୪୦ ହଜାର ଟଙ୍କା ପାରିଶ୍ରମିକ ଦେବାକୁ କହିଥିବାବେଳେ ସେଠାରେ ଶ୍ରମିକମାନେ ପହଞ୍ଚିବାପରେ ସେମାନଙ୍କୁ ଦିନ ମଜୁରିଆ ଭାବରେ ପାରିଶ୍ରମିକ ପ୍ରଦାନ କରିବାକୁ ଭାଟି ମାଲିକ କହିଥିଲେ ଏବଂ ଦିନ ରାତି କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ । ଫଳରେ ଶ୍ରମିକମାନେ ଦାଦନ ସର୍ଦ୍ଦାର ଦ୍ୱାରା ଠକାମିର ଶିକାର ହେବା ସହିତ ଇଟାଭାଟି ମାଲିକଙ୍କ ଗୁଣ୍ଡାମାନଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇଥିଲେ । ଶ୍ରମିକମାନେ ଯେପରି କାର୍ଯ୍ୟସ୍ଥଳରୁ ଖସିନଯିବେ ସେଥିପାଇଁ ମାଲିକଙ୍କ ଗୁଣ୍ଡାମାନେ ସେଠାରେ ଦିନରାତି ଜଗି ରହିଥିଲେ । କୌଣସିମତେ ଏହି ସୂଚନା ପ୍ରବାସୀ ଶ୍ରମିକଙ୍କ ପରିବାର ନିକଟରେ ପହଞ୍ଚିବାପରେ ସେମାନଙ୍କ ପରିବାର ସଦସ୍ୟମାନେ ଜିଲ୍ଳାପାଳ ସତ୍ୟରଞ୍ଜନ ସାହୁଙ୍କୁ ସାକ୍ଷାତ କରି ତାଙ୍କ ପରିବାରଲୋକଙ୍କୁ ବାହାର ରାଜ୍ୟରୁ ଉଦ୍ଧାର କରି ଆଣିବାକୁ ଆକୁଳ ନିବେଦନ କରିଥିଲେ ।

ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ତତକ୍ଷଣାତ ପଦକ୍ଷେପ ଗ୍ରହଣ କରି ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଡକାଇ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏ ସଂପର୍କରେ ଜିଲ୍ଲାପାଳଙ୍କ ରିପୋର୍ଟକ୍ରମେ ବାହାରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାର ୮୦ ହଜାର ଟଙ୍କା ମଂଜୁର କରିଥିଲେ । ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଅପରେଶନ ସଞ୍ଜିବନୀ ମାଧ୍ୟମରେ ଏକ ଟିମ ଗଠନ କରାଯାଇଥିଲା । ଏ ସଂପର୍କରେ ଜିଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଜିଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ, କର୍ମଚାରୀ କାହ୍ନୁଚରଣ ମହାରଣା ଓ ପୋଲିସ ଇନିସପେକ୍ଟର ଗୋପୀନାଥ ପ୍ରଧାନଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇ ମହାରାଷ୍ଟ୍ର ପ୍ରେରଣ କରାଯାଇଥିଲା । ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରସାଦ ବ୍ୟକ୍ତିଗତ ଭାବରେ ମହାରାଷ୍ଟ୍ର ପୋଲିସ, ରେଳବିଭାଗ ସହିତ ଯୋଗାଯୋଗ କରି ଏହି ଉଦ୍ଧାର କାର୍ଯ୍ୟକୁ ପରିଚାଳନା କରିଥିଲେ । ଉଦ୍ଧାରକାରୀ ଟିମ ପୁନେର ଜାମ୍ବେଠାରେ ପହଞ୍ଚିବାପରେ ଇଟାଭାଟି ମାଲିକଙ୍କ ଗୁଣ୍ଡାମାନେ ଶ୍ରମିକମାନଙ୍କୁ ଛାଡୁନଥିବାବେଳେ ଏନେଇ ସେଠାରୁ ବୌଦ୍ଧ ଏସପି ଶ୍ରୀ ପ୍ରସାଦଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ଶ୍ରୀ ପ୍ରସାଦ ପୁନେ ପୋଲିସ ସହିତ ଆଲୋଚନା କରି ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ପର୍ଯ୍ୟାପ୍ତ ପୁଲିସ ବଳ ଯୋଗାଇଦେବା ପରେ ଶ୍ରମିକ ପରିବାରମାନେ ଉଦ୍ଧାର ହୋଇପାରିଥିଲେ । ରେଳବିଭାଗ ସହିତ ଆଲୋଚନା କରି ଶ୍ରମିକମାନଙ୍କ ଫେରିବା ପାଇଁ ବ୍ୟବସ୍ଥା କରାଯିବାପରେ ସେମାନେ ସୁରକ୍ଷିତ ଭାବରେ ଆସି ଝାରସୁଗୁଡା ଷ୍ଟେସନରେ ଓହ୍ଲାଇଥିଲେ । ସେଠାରୁ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଗାଡି ଶ୍ରମିକମାନଙ୍କୁ ନେଇ ବୌଦ୍ଧ ଫେରିଥିଲା । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରମିକମାନଙ୍କୁ ସଫଳତାର ସହିତ ଉଦ୍ଧାର କରାଯାଇପାରିଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର,ଏସଡିପିଓ ଆନନ୍ଦବର୍ଦ୍ଧନ ଗୁରୁ,ଡିଆଇବି ଡିଏସପି ଦେବାଶିଷ ଧଳ, ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ, ସହକାରୀ ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment