ବିନା ଟୋକନରେ ମଣ୍ଡିରେ ଥିବା ୧୦୦ କ୍ୱିଣ୍ଟାଲ ଧାନ ଜବତ

ବୌଦ୍ଧ,୧୪/୧ – ହରଭଙ୍ଗା ବ୍ଲକ ହରଭଙ୍ଗା ସେବା ସମବାୟ ସମିତିର ଧାନମଣ୍ଡିରେ ସନ୍ଦେହଜନକ ଅବସ୍ଥାରେ ରଖା ଯାଇଥିବା ପ୍ରାୟ ୧୦୦ କ୍ୱିଣ୍ଟାଲ ଧାନକୁ ଗତକାଲି ଯୋଗାଣ ବିଭାଗ ଜବତ୍‌ କରିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ହରଭଙ୍ଗା ମଣ୍ଡିରେ ପ୍ରାୟ ୧୦୦ କ୍ୱିଣ୍ଟାଲ୍‌ ଧାନ କୌଣସି ବ୍ୟକ୍ତି ରଖିଥିବା ଖବର ପାଇ ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପ୍ରଧାନ ଓ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ମଣ୍ଡିରେ ପହଞ୍ଚି ଥିଲେ । ଅଧିକାରୀମାନେ ଏ ଧାନ କାହାର ବୋଲି ପଚାରିଥିଲେ । ମଣ୍ଡିରେ ଉପସ୍ଥିତ ଚାଷୀ କିମ୍ବା କେହି ଧାନ ନିଜର ବୋଲି ଦାବୀ କରିନଥିଲେ । ହରଭଙ୍ଗା ପେକ୍ସ ସମ୍ପାଦକ ଓ କର୍ମଚାରୀ ମଧ୍ୟ କିଏ ମଣ୍ଡି ପରିସରରେ ଧାନ ରଖିଛି କହିପାରିନଥିଲେ । ପ୍ରାୟ ୩ ଘଣ୍ଟାଧରି ଅଧିକାରୀମାନେ ଅପେକ୍ଷା କରି ମଧ୍ୟ କେହି ଦାବିଦାର ନ ଆସିବାରୁ ତାକୁ ବିନା ଟୋକନରେ ବେଆଇନ୍‌ ଧାନ ଆସିଥିବା ବିବେଚନା କରି ହରଭଙ୍ଗା ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ଜବତ୍‌ କରିବାପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଯଦି ଭବିଷ୍ୟତରେ ଉପଯୁକ୍ତ ପ୍ରମାଣ ଦେଇ କେହି ନିଜର ଧାନ ବୋଲି ପ୍ରମାଣିତ କରିବେ ତାଙ୍କୁ ଧାନ ଫେରସ୍ତ କରାଯିବ ବୋଲି ସହକାରୀ ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି । ଚଳିତବର୍ଷ ମଣ୍ଡି ପରିଚାଳନା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରୁଥିବାରୁ ଏଭଳି ପଦକ୍ଷେପ ନିଆ ଯାଇଥିବା ସୂଚନା ମିଳିଛି ।

Comments (0)
Add Comment