ଚାକିରି ହରାଇବେ ଓ.ଟି.ଇ.ଟି. ଜାଲ୍‌ ପ୍ରମାଣପତ୍ର କରିଥିବା ଶିକ୍ଷକ : ଗଣଶିକ୍ଷା ମନ୍ତ୍ରୀ

ବୌଦ୍ଧ,୧୨/୧ – ରେଗୁଲାର୍‌ ହେବା ପାଇଁ ବୌଦ୍ଧ ଜିଲ୍ଲାରେ ଜାଲ୍‌ ଓ.ଟି.ଇ.ଟି. ପାସ୍‌ ପ୍ରମାଣପତ୍ର ଦେଇଥିବା ୪୯ ଜଣ ଗଣଶିକ୍ଷକ ବହିଷ୍କୃତ ହେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଭୁବନେଶ୍ୱରରୁ ବଲାଙ୍ଗୀର ଗସ୍ତରେ ଯାଉଥିବା ମନ୍ତ୍ରୀ ଶ୍ରୀ ଦାସ ଗତକାଲି ସନ୍ଧ୍ୟାରେ କିଛି ସମୟ ପାଇଁ ରହଣୀ କରିଥିବା ସମୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏ ସୁଚନା ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୁଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୦୧୯ ରେ ହୋଇଥିବା ଓ.ଟି. ଇ.ଟି. ପରୀକ୍ଷାରେ ପାସ୍‌ କରିଥିବା ପ୍ରମାଣପତ୍ର ଦେଇ ଜିଲ୍ଲାରେ ମୋଟ୍‌ ୯୪ ଜଣ ଗଣ ଶିକ୍ଷକ ରେଗୁଲାର୍‌ ହେବା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ବୌଦ୍ଧ ବ୍ଲକ୍‌ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୬ ଜଣ, ହରଭଙ୍ଗା ବ୍ଲକ୍‌ ର ୧୨ ଜଣ ଓ କଣ୍ଟାମାଳ ବ୍ଲକର ୨୭ ଜଣ ଗଣ ଶିକ୍ଷକଙ୍କ ପ୍ରମାଣପତ୍ର ଠିକ୍‌ଥିବାରୁ ରେଗୁଲାର୍‌ ହୋଇଛନ୍ତି । ଜାଲ୍‌ ପ୍ରମାଣପତ୍ର ଦେଇଥିବା ୪୯ ଜଣ ଶିକ୍ଷକଙ୍କ ନିକଟକୁ ଜିଲ୍ଲା ଶିକ୍ଷା ଅଧିକାରୀ ମାସେ ମଧ୍ୟରେ ଉତ୍ତର ଦେବାକୁ କାରଣ ଦର୍ଶାଅ ନୋଟିସ୍‌ ଜାରୀ କରିଥିଲେ । ମନ୍ତ୍ରୀଙ୍କ ବୌଦ୍ଧ ରହଣୀ ସମୟରେ ବିଧାୟକ ପ୍ରଦୀପ ଅମାତ୍‌, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର୍‌, ବୌଦ୍ଧ ବି.ଇ.ଓ. ଧ୍ରୁବ ଚରଣ ଘିବେଲା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment