ବୌଦ୍ଧ: ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ, ସହଳ ସ୍ତନ୍ୟପାନରେ ବୌଦ୍ଧ ଜିଲ୍ଲା ରାଜ୍ୟରେ ପ୍ରଥମ

ବୌଦ୍ଧ,୭/୮- ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଜିଲ୍ଲା ତାଲିମ କେନ୍ଦ୍ରଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୧ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞାପିତ ଅଂଚଳର ସମସ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ, ବହୁ ଗର୍ଭବତୀ ଓ ପ୍ରସୂତି ମାଆମାନେ ଯୋଗ ଦେଇଥିଲେ । ସ୍ତନ୍ୟପାନ ପାଇଁ ପ୍ରୋତ୍ସାହନ, ସହଯୋଗ ଓ ଏ ନେଇ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସପ୍ତାହ ବ୍ୟାପି ଜିଲ୍ଲା ତଥା ସମସ୍ତ ବ୍ଲକ୍‌, ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଗାଁ କଲ୍ୟାଣ ସମିତି ସ୍ତରରେ ପାଳିତ ହେବ । ଶିଶୁ ଜନ୍ମପରେ ଛଅମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାଇବାପାଇଁ ଓ ଡବାକ୍ଷୀରକୁ ସଂପୂର୍ଣ୍ଣ ବର୍ଜନ କରିବାପାଇଁ ସଭାରେ ଆଲୋଚନା ହୋଇଥିଲା । ସୂଚନାଯୋଗ୍ୟ ଯେ, ଜାତୀୟ ପରିବାର ସର୍ଭେକ୍ଷଣ-୪ ଅନୁଯାୟୀ ବୌଦ୍ଧଜିଲ୍ଲା ସାରା ରାଜ୍ୟରେ ସହଳ ସ୍ତନ୍ୟପାନ କରାଇବା କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଅଛି । ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ସମସ୍ତ ପ୍ରସୂତୀ ମାଆ, ଆଶାକର୍ମୀଙ୍କୁ ସ୍ତନ୍ୟପାନର ଉପାଦେୟତା ସମ୍ପର୍କରେ ବୁଝାଇଥିଲେ । କୋଭିଡ୍‌ ମହାମାରୀ ସମୟରେ ମାଆମାନେ କିଭଳି ଶିଶୁଙ୍କୁ ସ୍ତନ୍ୟପାନ ଜାରି ରଖିବେ ସେ ନେଇ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ର ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ, ଡା. ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମ୍‌, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ଡିପିଏମ୍‌ ରୂପକ ମହାପାତ୍ର, ଏଡିପିଏଚ୍‌ସିଓ ସୁନୀଲ୍‌ କୁମାର ନାୟକ ଓ ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

Comments (0)
Add Comment