ତାଳସରଡ଼ା କ୍ଲଷ୍ଟରରେ ଶିକ୍ଷକ ସମାବେଶ

ବୌଦ୍ଧ,୯/୯- ବୌଦ୍ଧବ୍ଲକ ତାଳସରଡ଼ା କ୍ଲଷ୍ଟର ଟାଇଞ୍ଜନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟରସ୍ତରୀୟ ଶିକ୍ଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅତିଥିମାନଙ୍କୁ ସମ୍ମାନୀତ କରାଯାଇଥିଲା । ମୁଖ୍ୟଅତିଥି ଜିଲ୍ଲାଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝୀ ଶିଖିବାଲାଗି ଶିଷ୍ୟ ହେବାକୁ ହେବ, ଜ୍ଞାନୀଲୋକ ସିଏ ଯିଏ ନିଜର ଅଜ୍ଞତାକୁ ଜାଣେ ,୫ଟି ଆଧାରରେ ଶିକ୍ଷକମାନେ ଶିକ୍ଷାଦାନ କରିବା ଉଚିତ, ଗୁଣାତ୍ମକଶିକ୍ଷାରେ ଶିକ୍ଷକ ମାନଙ୍କ ଭୂମିକା ଅଧିକ ବୋଲି ବକ୍ତବ୍ୟ ରଖି ଶିକ୍ଷକ ସମାବେଶରେ ସାମିଲ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ସଭାରେ ଅଧ୍ୟକ୍ଷତା କରିଥିଲେ । ଶିକ୍ଷାବ୍ୟବସ୍ଥାରେ ପ୍ରାଥମିକ ଶିକ୍ଷା ନିହ ସଦୃଶ । ସବୁଠାରେ ତଳିଆ ବ୍ୟବସ୍ଥା ସୁଦୃଢ ହେବା ଉଚିତ । ଲକ୍ଷ୍ୟ ପୂର୍ତ୍ତିପାଇଁ ଶ୍ରେଣୀକକ୍ଷ ଶିକ୍ଷକ ମାନଙ୍କର ସାଧନାସ୍ଥଳ । ବିଦ୍ୟାଳୟ ପରିବେଶ ଗାଁର ପରିଚୟ ହେଉ । ବିଦ୍ୟାଳୟରେ ଇକୋ କ୍ଲବ, ପରିବା ବଗିଚା ଲଗେଇବା ସହିତ ବର୍ତ୍ତମାନ ସ୍ୱଛତାପକ୍ଷ ଚାଲିଛି ସମସ୍ତ ବିଦ୍ୟାଳୟ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ । ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ଗତବର୍ଷ ଇକୋ କ୍ଳବ, ପରିବା ବଗିଚା, ମୋ ସ୍କୁଲ ଅଭିଯାନ ଓ ଉତ୍ତମ ଶିକ୍ଷାଦାନ ପାଇଁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା ବୋଲି ସୂଚାଇଥିଲେ । ପ୍ରଧାନ ଶିକ୍ଷକ ଅଖିଳ ପ୍ରଧାନ ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ସିଆରସିସି ସଞ୍ଜୟ ଦେହୁରୀ ମଞ୍ଚାସୀନ ଥିଲେ । ଶିକ୍ଷକ ଅଯତ୍ନ ଲୁହା ଅତିଥି ପରିଚୟ ଓ ବିଭୀଷଣ ନାଏକ ଧନ୍ୟବାଦ ଦେଇଥିଲେ । କ୍ଲଷ୍ଟରର ୪୦ଜଣ ଶିକ୍ଷକ ଉପସ୍ଥିତ ଥିଲେ । ଶେଷରେ ଅତିଥି ମାନଙ୍କଦ୍ୱାରା ବୃକ୍ଷରୋପଣ କରାଯାଇଥିଲା ।

Comments (0)
Add Comment