ବୌଦ୍ଧ,୧୮/୯: ଆଜି ସକାଳ ପ୍ରାୟ ୮ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ବାଇକ ଚାଳକ ଜଣକ ସୋନପୁର ଜିଲ୍ଲା ଖାରୀ ଅଞ୍ଚଳର ସିପୁନ ମିଶ୍ର (୩୨) ବୋଲି ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ବୌଦ୍ଧ ସହରରେ ଏକ ଫାଇନାନ୍ସ କଂପାନୀରେ କାମ କରୁଥିବା ସିପୁନ ବାଇକ ନଂ ଓଡି ୧୭- ୨୧୮୪ ଯୋଗେ କୌଣସି କାମରେ ସୋନପୁର ଅଭିମୁଖେ ଯାଉଥିବାବେଳେ ବୌଦ୍ଧବ୍ଲକ ମୁର୍ଷୁଣ୍ଢି ଗାଁ ଛକ ୫୭ ନଂ ଜାତୀୟ ରାଜପଥରେ ଜଣେ ମହିଳା ହଠାତ୍ ରାସ୍ତା ଉପରକୁ ଚାଲିଆସିବାରୁ ସେ ବ୍ରେକ୍ ମାରିଦେଇଥିଲେ । ଫଳରେ ତାଙ୍କ ପଛରେ ଆସୁଥିବା ଏକ ମିନିଟ୍ରକ ଓଡି୦୨ଏବି ୨୨୨୫ ର ପଛଚକ ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନସରେ ମେଡିକାଲକୁ ମୃତକଙ୍କୁ ପଠାଇ ବାଇକ ଓ ମିନିଟ୍ରକକୁ ଜବତ କରି ଅଧିକ ତଦନ୍ତ ଜାରିରଖିଛି । ମୃତକଙ୍କ ପରିବାର ଲୋକଙ୍କୁ ଖବର ଜଣାଇ ଦିଆଯାଇଛି । ପରିବାର ଲୋକ ଆସିବାପରେ ଶବ ହସ୍ତାନ୍ତର କରାଯିବ ।