ବୌଦ୍ଧରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବୌଦ୍ଧ,୮/୩- ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ବିଭାଗ ମଧ୍ୟ ସକ୍ରିୟ ଯୋଗଦାନ କରିଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପବ୍ଲିକ ହେଲଥ ଅଫିସର ଶ୍ରୀ ପ୍ରଦୋଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା, ଡେପୁଟି କଲେକ୍ଟର ଶ୍ରୀମତୀ ଝରଣା ପ୍ରଧାନ , ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ବୌଦ୍ଧ ବ୍ଲକ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରୁ ଜଣେ ଅଙ୍ଗନୱାଡି କର୍ମୀ, ଜଣେ ମହିଳା ସୁପରଭାଇଜର ଓ ଜଣେ ସିଡିପିଓ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ଜିଲ୍ଲାପାଳ ଶ୍ରୀ ମିଶ୍ର ଏହି ଅବସରରେ. କାର୍ଯ୍ୟକ୍ରମର ଲୋଗୋ ବୌଦ୍ଧ ଜିଲ୍ଲା ପାଇଁ ଉନ୍ମୋଚନ କରିଥିଲେ । ଦୁଇଜଣ ସଖୀ, ଅନ୍ନପୂର୍ଣ୍ଣା ବେହେରା ଓ ମନୀଷା ମିର୍ଦ୍ଧା ଙ୍କୁ ସମ୍ମାନିତ କରିଥିଲେ । ଏହା ଛଡା ଶିକ୍ଷା ବିଭାଗ ଦ୍ୱାରା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କ ଦ୍ୱାରା ଡାକ ଟିକଟ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ବାଲ୍ୟ ବିବାହ ଉପରେ କଣ୍ଢେଇ ଖେଳର ଆୟୋଜନ କରିଥିଲେ । ଉଭୟ ବିଶ୍ୱନାଥ ମିଶ୍ର ଓ ବସନ୍ତ ସାହୁ ମଧ୍ୟ ଜିଲ୍ଲାପାଳଙ୍କ ଦ୍ୱାରା ଏହି ଅବସରରେ ସମ୍ମାନିତ ହୋଇଥିଲେ । କାର୍ଯ୍ୟକ୍ରମର ପରିଚାଳନା ସିଡିପିଓ ଶ୍ରୀମତୀ ମିନତୀ ଦେଓ, ବାଲ୍ୟ ବିବାହ ପରାମର୍ଶ ଦାତ୍ରୀ ପ୍ରବୀଜ୍ଞା ଦାସ ଓ ଡିପିସି ମିଶନ ଶକ୍ତି ଦେବବ୍ରତ ମିଶ୍ର, ବାଳିକା ଶିକ୍ଷା ସଂଯୋଜିକା ରାଜଲକ୍ଷ୍ମୀ ପଣ୍ଡାଙ୍କ ଦ୍ୱାରା ହୋଇଥିଲା ।

ଏହି ଅବସରରେ ଜିଲ୍ଲାର ପ୍ରଥମ ମହିଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ଓ ମହିଳା ସାମ୍ବାଦିକା ପ୍ରଣତି ପଣ୍ଡାଙ୍କୁ ପ୍ରଥମ ମହିଳା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଶର୍ମିଷ୍ଠା ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment