ବୌଦ୍ଧ,୨୫ା୩ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା(ନିବାରଣ, ନିଷେଧ ଓ ନିରାକରଣ ଆଇନ ୨୦୧୩) ସମ୍ପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଘଟଣାର ଆଇନଗତ ଓ ସାମାଜିକ ଦିଗ ଉପରେ ଆଲୋଚନା କରିବା ସହିତ ନିଜ ନିଜ ମାନସିକତାରେ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଥିଲେ । କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଦିଗରେ ଜିଲାପାଳ ଶ୍ରୀ ମିଶ୍ର ମତପ୍ରକାଶ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଆକ୍ସନ ଏଡର ରାଜ୍ୟ ସଂଯୋଜକ ସାଧନକର୍ମୀ ଭାବରେ ଯୋଗଦେଇ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ଉପରେ ଆଲୋଚନା କରିବା ସହିତ କର୍ମସ୍ଥଳୀକୁ ଅନୁକୂଳ ପରିବେଶ ଓ କର୍ମଚାରୀଙ୍କୁ ସମ୍ବେଦନଶୀଳ କରିବାପାଇଁ ସଚେତନ କରିବା ଦାୟିତ୍ୱ ସମସ୍ତଙ୍କର ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟାଳୟରେ ଆଭନ୍ତରୀଣ ଅଭିଯୋଗ କମିଟି ଓ ଜିଲ୍ଲାସ୍ତରରେ ସ୍ଥାନୀୟ ଅଭିଯୋଗ କମିଟି ଗଠନ ପାଇଁ ଆଇନରେ ଉଲ୍ଲେଖ ଥିବା ପ୍ରକାଶ କରିଥିଲେ । ଅନ୍ୟତମ ସାଧନକର୍ମୀ ଭାବରେ ଆଇନଜୀବୀ ଅଙ୍କିତା ଶତପଥୀ ଯୋଗଦେଇ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରହିିଥିବା ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଘାସିରାମ ପଣ୍ଡା ପାୱାର ପଏଣ୍ଟ ମାଧ୍ୟମରେ ସମସ୍ତଙ୍କୁ ଆଇନଗତ ଦିଗ ଉପରେ ଆଲୋକପାତ କରିଥିବାବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପଜିଲ୍ଲାପାଳ ସନତ କୁମାର ନାଏକ, ଡେପୁଟି କଲେକ୍ଟର ଝରଣା ପ୍ରଧାନ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିକେଆରସି ହେମ୍ବ୍ରମ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା, ବାଲ୍ୟବିବାହ ନିଷେଧ ପରାମର୍ଶଦାତ୍ରି ପ୍ରବିଜ୍ଞା ଦାଶ, ସମସ୍ତ ବ୍ଲକର ସିଡିପିଓ ,ଆଭ୍ୟନ୍ତରୀଣ କମିଟି ଓ ସ୍ଥାନୀୟ କମିଟିର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।