ବୌଦ୍ଧ,୮/୫- ଆଜି ସମଗ୍ର ଦେଶରେ ବିଶ୍ୱ ମାତୃଦିବସ ପାଳୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ଗୋଟିଏ ଦୁଃଖର ଖବର ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବଲାସିଙ୍ଗା ଗ୍ରାମରେ ସୁଲଭ ପ୍ରଧାନ ନାମକ ୭୨ ବର୍ଷର ବୃଦ୍ଧା ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଝିଅ ଜମ୍ବୁ ପ୍ରଧାନ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ସମାଜ ବା ଗ୍ରାମବାସୀ ଶବଟିକୁ ସତ୍କାର କରିବାପାଇଁ ଆସିନଥିଲେ । ଫଳରେ ଶବଟି ଦୀର୍ଘ ସମୟ ଧରି ପଡିରହିଥିଲା । ଏହି ଖବର ପାଇବା ପରେ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧର ସଦସ୍ୟ ରାମଚନ୍ଦ୍ର ମେହେର, ଅରୁଣ ମେହେର, ରମେଶ ପ୍ରଧାନ, ବିକାଶ ମେହେର ଓ ଇନ୍ଦ୍ରମଣି ମେହେର ପ୍ରମୁଖ ଯାଇ ବଲାସିଙ୍ଗା ଗ୍ରାମରେ ପହଞ୍ଚି ବୌଦ୍ଧ ଜିଲ୍ଲାପାଳଙ୍କୁ ଜଣେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମହାପ୍ରୟାଣ ଗାଡ଼ିରେ ଉକ୍ତ ମହିଳାଙ୍କ ଶବଟିକୁ ବୌଦ୍ଧ ରାଜଘାଟକୁ ଆଣି ଜିଲ୍ଲା ପ୍ରଶାସନର ସହଯୋଗରେ ସତ୍କାର କରାଯାଇଥିଲା ।