ବୌଦ୍ଧ,୬/୬- କରୋନା ଯୋଗୁଁ ଲକଡାଉନ୍ ହୋଇଥିବା ବେଳେ ଗ୍ରୁପ୍କରି ଋଣ ନେଇଥିବା ବିଭିନ୍ନ ଘରୋଇ ଫାଇନାନସ କମ୍ପାନୀ ଦାଉ ସାଧୁଛନ୍ତି ବୋଲି ଅଭିଯୋଗ ହେଉଛି । ବୌଦ୍ଧ ଜିଲ୍ଲାରେ ଗଣ୍ଡାଗଣ୍ଡା ଘରୋଇ ଫାଇନାନସ କମ୍ପାନୀ କାର୍ଯ୍ୟାଳୟ ଖୋଲି ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କୁ ଋଣ ପ୍ରଦାନ କରିଛନ୍ତି । ବର୍ତ୍ତମାନ ଲକଡାଉନ୍ ଯୋଗୁଁ ଲୋକେ କାମ ଧନ୍ଦା ହରାଇ ଘରେ ବସିଥିବା ବେଳେ ଟଙ୍କା ଅସୁଲ ପାଇଁ ଘରୋଇ ଫାଇନାନସ କମ୍ପାନୀମାନେ ଜୁଲମ କରୁଥିବା ଅଭିଯୋଗ ହେଉଛି । ଲକଡାଉନ୍ ଓ ସଟ୍ଡାଉନ୍ ସମୟରେ ମଧ୍ୟ ସକାଳୁ ସନ୍ଧ୍ୟାଯାଏଁ ସେମାନଙ୍କ ଏଜେଣ୍ଟମାନେ ଘର ଘର ବୁଲି ଟଙ୍କା ଆଦାୟ କରୁଥିବାରୁ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ଯିଏ ଟଙ୍କା ଦେଇପାରୁନାହିଁ ତାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ନାକତଳେ ଅନେକ କାର୍ଯ୍ୟାଳୟ ଖୋଲି ଅଧିକ ସୁଧ ହାରରେ ଋଣ ଲଗାଉଥିବା ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାମାନେ ମହିଳାମାନଙ୍କୁ ଶୋଷଣ କରୁଥିବାବେଳେ ସରକାରଙ୍କ ମିଶନଶକ୍ତି ଜିଲ୍ଲାରେ ଫେଲ୍ ମାରିଥିବା ଆଲୋଚନା ହେଉଛି ।