ବୌଦ୍ଧଜିଲ୍ଲାର ୧୦ଟି ୫-ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ବୌଦ୍ଧ,୧୪/୧୧- ବୌଦ୍ଧଜିଲ୍ଲାର ୧୦ଟି ୫-ଟି ରୂପାନ୍ତରିତ ହାଇସ୍କୁଲକୁ ଆଜି ସନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଏହି କ୍ରମରେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଭାସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ୫-ଟିରେ ସାମିଲ ହୋଇଥିବା ଏହି ୧୦ଟି ହାଇସ୍କୁଲ ଗୁଡିକ ହେଲା ହରଭଙ୍ଗା ଉଚ୍ଚ ବିଦ୍ୟାଳୟ, ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ, ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ, ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧ, ବାଉଁଶୁଣୀ ଉଚ୍ଚ ବିଦ୍ୟାଳୟ, ମନମୁଣ୍ଡା ଉଚ୍ଚ ବିଦ୍ୟାଳୟ, କଣ୍ଟାମାଳ ଉଚ୍ଚ ବିଦ୍ୟାଳୟ, ଘଣ୍ଟାପଡା ଉଚ୍ଚ ବିଦ୍ୟ।।ଳୟ, ଆମ୍ବଗାଁ ଉଚ୍ଚ ବିଦ୍ୟାଳୟ । ଆଜିର ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ଭୋଇ, ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏବଂ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀର ଛାତ୍ରୀ ତୁଳସୀ ସାହୁ ମଞ୍ଚାସୀନ ଥିଲେ ।

ମୁଖ୍ୟମନ୍ତ୍ରୀ ଛାତ୍ରୀ ତୁଳସୀଙ୍କ ସହିତ ରୂପାନ୍ତରୀତ ସ୍କୁଲର ଅନୁଭୂତି ସଂପର୍କରେ ଆଲୋଚନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ୧୦ଟି ସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ତଥା ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Comments (0)
Add Comment