ସ୍ୱାମୀ ଚିଦାନନ୍ଦଙ୍କ ୧୦୫ତମ ଜୟନ୍ତୀ ଅବସରରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବୌଦ୍ଧ,୨୮/୯ -ହରିଦ୍ୱାର ଋଷିକେଶ ଦିବ୍ୟ ଜୀବନ ସଂଘର ମହାନ ସନ୍ଥ ପରମପୂଜ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ୧୦୫ତମ ଜୟନ୍ତୀକୁ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ବୌଦ୍ଧରେ ପାଳନ କରାଯାଇଛି । ଏନେଇ ଷ୍ଟାଡିୟମ ପରିସରରେ ଏକ ସ୍ୱତନ୍ତ୍ର ଯୋଗଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗ ଶିକ୍ଷକ ଦିଲ୍ଲିପ କୁମାର ଚୌଧୁରୀ ଯୋଗାଭ୍ୟାସ କରାଇଥିଲେ । ସ୍ୱାମୀ ଚିଦାନନ୍ଦ ଯୋଗାଭ୍ୟାସ ମାଧ୍ୟମରେ କିପରି ଜୀବନ ଯାପନ କରୁଥିଲେ ସେ ଉପରେ ସମୀକ୍ଷା କରାଯାଇଥିଲା । ବୌଦ୍ଧ ସହର ନିକଟରେ ରହିଥିବା କୁଷ୍ଠାଶ୍ରମରେ ଅନ୍ତେବାସୀମାନଙ୍କୁ ଫଳବଣ୍ଟନ କରାଯାଇଥିଲା । ସଂଧ୍ୟାରେ ମହିଳା ପତଞ୍ଜଳି ଯୋଗ ସମିତିର ସଦସ୍ୟାମାନଙ୍କୁ ସ୍ୱାମିଜୀଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିବା ସହିତ ବ୍ୟାୟାମ, ଆସନ ଓ ପ୍ରାଣାୟାମ ଅଭ୍ୟାସ କରାଯାଇଥିଲା । ସଂଧ୍ୟାରେ ଦିବ୍ୟ ଜୀବନ ସଂଘ ପରିସରରେ ଭଜନ କୀର୍ତ୍ତର୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦେବାଶିଷ ପୁରୋହିତ, ତୁଷାରକାନ୍ତ ପଟ୍ଟନାୟକ, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି, ପ୍ରତାପ କୁମାର ସାହୁ, ବିଦ୍ୟାଧର ପ୍ରଧାନ, ଦିଲ୍ଲିପ କୁମାର ଚୌଧୁରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହେଯାଗ କରିବା ସହିତ ସ୍ୱାମୀ ଚିଦାନନ୍ଦଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିବା ଏବଂ ତାଙ୍କର ବିଚାରଧାରା ସହ ଜଡିତ ହୋଇଥିବା ଭକ୍ତମାନେ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ ବୌଦ୍ଧରେ ସର୍ବପୁରାତନ ଆଧ୍ୟାତ୍ମିକ ଅନୁଷ୍ଠାନ ଭାବେ ୧୯୭୫ ମସିହାରୁ ଏହି ଦିବ୍ୟ ଜୀବନ ସଂଘ ସ୍ଥାପନ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରି ଆସୁଛି ।

Comments (0)
Add Comment