ବିଶ୍ୱାସରେ ବିଷ : ଶିଶୁ କନ୍ୟାକୁ ଧରି ଫେରାର ମାରିଲା ମଇତ୍ର !

ବୌଦ୍ଧ,୨୨/୧୧ – ମଇତ୍ର ଏକ ପବିତ୍ର ଶବ୍ଦ । ବିଶ୍ୱାସ ଓ ଭଲ ପାଇବା ରହିଲେ ଯାଇ ଲୋକେ ମୈତ୍ର ହୋଇଥାଆନ୍ତି । ସମାନ ନାମକୁ ନେଇ କିମ୍ବା ସମାନ ଚିନ୍ତାଧାରା ହେଲେ ହିଁ ଲୋକେ ମୈତ୍ର ଭଳି ପବିତ୍ର ସମ୍ପର୍କ ସ୍ଥାପନ କରିଥାଆନ୍ତି । ଆଜିକାଲିର ଦୁନିଆରେ ମୈତ୍ର ଶବ୍ଦରେ ମଧ୍ୟ କଳଙ୍କ ଲାଗିଲାଣି । ଏଭଳି ଏକ ଘଟଣା ଘଟିଛି ବଉଦ ବ୍ଲକ କମ୍ପରା ଗ୍ରାମରେ । କମ୍ପରା ଗ୍ରାମର ରାଜୀବ ବାଦିଙ୍କ ସହ ମନମୁଣ୍ଡା ଥାନା ବିଚିକା ଗ୍ରାମର ରାଜୀବ (୩୨) ମୈତ୍ର ବସିଥିଲେ । ରାଜୀବ କିଛି ମାସ ମଧ୍ୟରେ ବାରମ୍ବାର ମୈତ୍ର ଘର କମ୍ପରା ଗ୍ରାମକୁ ଆସି ନିଜ ନିଜ ଭିତରେ ନିବିଡତା ବଢାଇ ଥିଲେ । ରାଜୀବ ବାଦିଙ୍କ ସାହି ପଡିଶାରେ ମଧ୍ୟ ମୈତ୍ର ରାଜୀବଙ୍କ ସହ ଅନ୍ୟ ପରିବାରର ନିବିଡତା ସୃଷ୍ଟି ହୋଇଥିଲା । ଘଟଣା କିନ୍ତୁ ଭିନ୍ନ ମୋଡ ନେଲା ଗତ ଶୁକ୍ରବାର ଦିନ । ମୈତ୍ର ଘର ତଥା ତାଙ୍କ ସାହି ପଡିଶାରେ ଥିବା ଲୋକଙ୍କ ବିଶ୍ୱାସରେ ବିଷ ଦେଇ ମୈତ୍ର ଯେଉଁ କାଣ୍ଡ କଲେ ତାହା ସାହାଜପାଲ୍‌ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁଯାୟୀ ଗତ ଶୁକ୍ରବାର ଦିନ କମ୍ପରା ଗ୍ରାମର ମୈତ୍ର ଘରକୁ ବିଚିକା ଗ୍ରାମର ରାଜୀବ ଆସିଥିଲେ । ପଡୋଶୀ ଶ୍ରୀକାନ୍ତ ମହାନନ୍ଦିଆଙ୍କ ବାଇକ ଓଡି ୨୭ ୩୨୫୧ ଜରୁରୀ କାମରେ ଯାଇ ସନ୍ଧ୍ୟା ସୁଦ୍ଧା ଫେରି ଆସିବାକୁ କହି ମାଗିଥିଲେ । ସେହିପରି ହରି ଉର୍ମାଙ୍କ ମୋବାଇଲ ମୋବାଇଲ ସହିତ ମୈତ୍ରଙ୍କ ୬ ବର୍ଷର ଶିଶୁ କନ୍ୟା ଲଭଲୀକୁ ବାଇକରେ ବସାଇ ଚମ୍ପଟ୍‌ ମାରିଥିଲେ । ରାତିପର୍ଯ୍ୟନ୍ତ ନ ଫେରିବାରୁ ସମସ୍ତେ ରାଜୀବଙ୍କ ଉପରେ ସନ୍ଦେହ କରିଥିଲେ । ଫୋନ ଯୋଗେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା । ଶନିବାର ସକାଳେ ଦୁଇଟି ଅଜଣା ମୋବାଇଲ ନମ୍ବରରୁ ରାଜୀବ ବାଦିଙ୍କ ପାଖକୁ କଲ୍‌ ଆସିଥିଲା । ଲଭଲୀର ମା ନିର୍ଦ୍ଦିଷ୍ଟ ସ୍ଥାନକୁ ଆସିଲେ ଯାଇ ସେ ଲଭଲୀକୁ ହସ୍ତାନ୍ତର କରିବ ନଚେତ୍‌ ଜୀବନରେ ମାରିଦେବ ବୋଲି କୁଆଡେ ଧମକ ଆସିଥିବା ପରିବାର ପକ୍ଷରୁ କୁହାଯାଉଛି । ଏ ସମ୍ପର୍କରେ ଲିଖିତ ଅଭିଯୋଗ କରାଗଲେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବାଉଁଶୁଣି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Comments (0)
Add Comment