ବୌଦ୍ଧ,୧୮/୧୦: ବୌଦ୍ଧ ଅଞ୍ଚଳର ଐତିହ୍ୟ ପରଂପରା ଓ କିର୍ତ୍ତୀରାଜି ଅନ୍ୟ ଅଞ୍ଚଳ ତୁଳନାରେ ଅନେକ ଗୁଣରେ ମହାନ । ଭାରତର ୩୬ଗୋଟି ମ୍ୟୁଜିୟମରେ ବୌଦ୍ଧ ଅଞ୍ଚଳରୁ ସଂଗୃହିତ ମୂଲ୍ୟବାନ କିର୍ତ୍ତୀଗୁଡିକ ସ୍ଥାନିତ ହୋଇଥିବା ଇନଟାକ୍ ଓଡିଶା ଚାପ୍ଟରର ପ୍ରକଳ୍ପ ସଂଯୋଜକ ଅନୀଲ ଧିର ମତବ୍ୟକ୍ତ କରିଛନ୍ତି । ଆଜି ବୌଦ୍ଧ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଧିର ସୂଚନା ଦେଇଥିଲେ । ସେ ପରାମର୍ଶ ଦେଇ କହିଥିଲେ ଗୋଟିଏ ମ୍ୟୁଜିୟମର ବୌଦ୍ଧ ଅଞ୍ଚଳରୁ ସଂଗୃହିତ ସମସ୍ତ ପ୍ରାଚୀନ କିର୍ତ୍ତୀକୁ ଏକତ୍ରିତ କରାଗଲେ ଆଗାମୀ ପିଢୀ ପାଇଁ ଯଥେଷ୍ଟ ପ୍ରେରଣା ଯୋଗାଇବ । ସେଥିପାଇଁ ବୌଦ୍ଧରେ ଗୋଟିଏ ମ୍ୟୁଜିୟମର ଆବଶ୍ୟକତା ରହିଛି ।
ବୌଦ୍ଧ ଅଞ୍ଚଳ ଦେଇ ଯାଇଥିବା ଶ୍ରୀ ଜଗନ୍ନାଥ ସଡକର ପୁନଃରୁଦ୍ଧାର କରାଯାଇ ରାସ୍ତାର ମହତ୍ତ୍ୱ ଲୋକଲୋଚନକୁ ଅଣାଯିବା ଦରକାର । ସେହିପରି ଯଯାତିନଗର, ଅସୁରଗଡର ପ୍ରତ୍ନତାତ୍ତ୍ୱିକ ଖନନ କରାଗଲେ ଅନେକ ଐତିହ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ଶ୍ରୀ ଧିର ମତ ଦେଇଥିଲେ । ବୌଦ୍ଧକୁ ରାଜ୍ୟ ବୁଦ୍ଧିଷ୍ଟ ସର୍କିଟରେ ସାମିଲ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ସରକାର ବୌଦ୍ଧକୁ ୟୁନେସ୍କୋ ଡାରଲଡ ହେରିଟେଜ ସାଇଟରେ ସାମିଲ କରିବାକୁ ଚିଠା ପ୍ରସ୍ତୁତ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ଧିର କହିଥିଲେ । ବୌଦ୍ଧ ଚାପ୍ଟରର ଟିମ୍ ଲିଡର ତଥା ବୌଦ୍ଧର ବରିଷ୍ଠ ଐତିହାସିକ ବିଶେଶ୍ୱର ପୃଷ୍ଟି ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବୌଦ୍ଧ ଜିଲ୍ଲା ପ୍ରେସକ୍ଲବର ସଂପାଦକ ରଘୁନାଥ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।