ବୌଦ୍ଧ,୨୬/୧୦- ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ସଂପୃକ୍ତ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଆସନ୍ତା ୨୮ ତାରିଖ ଗୁରୁବାରଦିନ ବୌଦ୍ଧଜିଲ୍ଲା ବିଜେପି ତରଫରୁ ଏସ୍. ପି. ଅଫିସ ଘେରାଉ କରାଯିବ । ରାମମନ୍ଦିର ପଡିଆ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଏସ୍. ପି. କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଘେରାଉ କାର୍ଯ୍ୟକ୍ରମ କରାଯିବ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ତରଫରୁ ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା ଓ ଜିଲ୍ଲାର ବରିଷ୍ଠ ବିଜେପି ନେତୃବୃନ୍ଦ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ବୋଲି ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ସୂଚନା ଦେଇଛନ୍ତି । ଏଥିସହିତ ଆସନ୍ତା ୨୯ ତାରିଖରେ ଜିଲ୍ଲାର ମଣ୍ଡଳ ମାନଙ୍କରେ ଥିବା ଥାନା ବା ଆଉଟପୋଷ୍ଟ ମାନଙ୍କରେ ମଣ୍ଡଳ ସଭାପତିଙ୍କ ନେତୃତ୍ୱରେ ମଣ୍ଡଳର ସମସ୍ତ କର୍ମକର୍ତ୍ତା ଓ ବିଜେପି ନେତୃବୃନ୍ଦ ଘେରାଉ ସହ ଏଫ୍ଆଇଆର ଦେବା କାର୍ଯ୍ୟକ୍ରମରେ ଯୋଗଦାନ କରିବେ ଏବଂ ଆସନ୍ତା ୩୦ତାରିଖରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୌଦ୍ଧଜିଲ୍ଲାକୁ ସଂପୂର୍ଣ୍ଣ ବନ୍ଦ କରାଯିବ । କେବଳ ଅତ୍ୟାବଶ୍ୟକୀୟ ସେବା ଓ ଆମ୍ବୁଲାନ୍ସ ସେବାକୁ ବନ୍ଦ୍ ରୁ ବାଦ୍ ଦିଆଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।