ବୌଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକ

ବୌଦ୍ଧ,୧୦ା୬ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଆଗାମୀ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବାପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଜେ.ସୋନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ସମସ୍ତଙ୍କୁ ସ୍ୱାଗତ କରିବା ସହିତ ରଥଯାତ୍ରାକୁ ମହାସମାରୋହରେ ପାଳନ କରାଯିବାକୁ ବିଭିନ୍ନ ପ୍ରସ୍ତାବ ଦେବାକୁ ଅନୁରୋଧ କରିଥିଲେ । ବୈଠକରେ ବିଗତ ବର୍ଷର ଆୟବ୍ୟୟର ହିସାବ ଦିଆଯାଇଥିଲା । ଚଳିତବର୍ଷ ଏହାକୁ ଧୁମଧାମ୍‌ରେ ପାଳନ କରିବାପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ରଥଯାତ୍ରା ସମୟରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ଶାନ୍ତିଶୃଙ୍ଖଳା ରକ୍ଷାକୁ ଗୁରୁତ୍ୱ ଦେବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଜିଲ୍ଲା ପୋଲିସ ପକ୍ଷରୁ ରଥଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ଜିଲ୍ଲାପାଳ ଶ୍ରୀ ସୋନାଲ ନିର୍ଦ୍ଦେଶ ଦେଇଥିଲେ । ପୂର୍ତ୍ତ ବିଭାଗ ପକ୍ଷରୁ ପୁରୁଣା ରଥର ସ୍ଥିତି ଅନୁଧ୍ୟାନ କରାଯାଇଥିବାବେଳେ ଆବଶ୍ୟକୀୟ ରଥ ମରାମତି ପାଇଁ ତୁରନ୍ତ କାଠ ଯୋଗାଇ ଦେବାକୁ ବନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଦ୍ୟୁତ ବିଭାଗ ଓ ଅଗ୍ନିଶମ ବିଭାଗ ସମନ୍ୱୟ ରଖି ଜରୁରୀ ସେବା ଯୋଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଠାକୁରମାନଙ୍କ ଆଭୁଷଣ ଅଳଙ୍କାର ତଦାରଖ ଓ ମରାମତି ନିଷ୍ପତି ଗ୍ରହଣ କରାଯାଇଥିଲା । ପୂର୍ତ୍ତବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡଦାଣ୍ଡର ସ୍ଥିତି ଅନୁଧ୍ୟାନ କରାଯିବା ସହିତ ଆବଶ୍ୟକୀୟ ମରାମତି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାଉସୀ ମା ମନ୍ଦିରରେ ଠାକୁରମାନଙ୍କ ରୋଷଶାଳା ନିର୍ମାଣ କାର୍ଯ୍ୟ ତୁରନ୍ତ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଧାରାବିବରଣୀ ପ୍ରଦାନ କରାଯିବାକୁ ଜିଲା ସୂଚନା ଓ ଲୋକସଂପର୍କ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଦେବସ୍ନାନ ପୁର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଠାକୁରମାନଙ୍କ ନିତିକାନ୍ତି ପାଳନ ନେଇ ବ୍ରାହ୍ମଣ ସମାଜ ପକ୍ଷରୁ ଲଗ୍ନ ପ୍ରଦାନ କରିଥିଲେ । ଠିକ୍‌ ସମୟରେ ଠାକୁରମାନଙ୍କ ନିତିକାନ୍ତି ପାଳନ କରାଯିବାକୁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏଥିସହିତ ରଥ ମରାମତି, ବଡ଼ଦାଣ୍ଡର ଗଛଡାଳ କଟା, ମାଉସୀ ମା ମନ୍ଦିର ଠାରେ ରୋଷେଇ ଗୃହ ନିର୍ମାଣ, ମିନା ବଜାର, ଜନସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ, ଜରୁରୀ ଚିକିତ୍ସା, ଆଲୋକ ବ୍ୟବସ୍ଥା, ଭଜନ ସମାରୋହ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲିପ କୁମାର ମହାପାତ୍ର, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ସଂପାଦକ ଶଙ୍କର ପ୍ରସାଦ ପୁରୋହିତ, ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ କୁମାର ଦାସ, ଅତିରିକ୍ତ ବନସଂରକ୍ଷକ ଆଶିଷ କୁମାର କହଁର, ବୌଦ୍ଧ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ, ପୂର୍ବତନ ନଗରପାଳ ନିବାସ ଚନ୍ଦ୍ର ଦାନୀ ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ରଥଯାତ୍ରା ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

Comments (0)
Add Comment