ଆଜିଠୁ ୧୪ ଦିନିଆ ଲକଡାଉନ ଆରମ୍ଭ, ପୁଲିସର କଡାକଡି ଚେକିଂ

ବୌଦ୍ଧ,୫/୫: ୧୪ ଦିନିଆ ଓଡିଶା ଲକ ଡାଉନ ଆରମ୍ଭ ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାର ରାସ୍ତାଘାଟ, ଛକ ବଜାର ଶୁନଶାନ ହୋଇଯାଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ପ୍ରମୁଖ ଛକରେ ପୋଲିସ୍‌ ମୁତୟନ ହୋଇ ଅମାନିଆ ମାନଙ୍କୁ ସାବାଡ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବୌଦ୍ଧସହର ଏନ.ଏ.ସି. ଛକ ଓ ମହାନଦୀ ବ୍ରିଜ ଛକ ନିକଟରେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ତନଖି କରାଯାଉଛି । ପନିପରିବା, ମାଛ, ମାଂସ ଓ ତେଜରାତି ଦୋକାନ ମଧ୍ୟାହ୍ନ ୧୨ ଘଣ୍ଟା ଯାଏଁ ଖୋଲାଥିବାରୁ ଲୋକେ ନିଜ ନିଜ ଆବଶ୍ୟକ ସାମଗ୍ରୀ କ୍ରୟ କରୁଥିବା ବେଳେ କେଉଁଠି କୋଭିଡ ଗାଇଡ ଲାଇନ ଉଲଙ୍ଘନ ହେଉଛି ତାହା ଦେଖିବାକୁ ପୋଲିସ୍‌ ସଜାଗ ରହିଥିଲେ । ସେହିପରି ଜିଲ୍ଲାର ହରଭଙ୍ଗା, ଚାରିଛକ, ପୁରୁଣା କଟକ, ବାଉଁଶୁଣି, ମନମୁଣ୍ଡା, ପଲସାଗୋରା, କଣ୍ଟାମାଳ, ଘଣ୍ଟାପଡା ଆଦି ଅଂଚଳରେ ମଧ୍ୟ ରାସ୍ତାରେ କିଛି ମାଲବାହୀ ଗାଡି ଚଳାଚଳ ବ୍ୟତୀତ ରାସ୍ତା ଶୁନଶାନ ଥିବା ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳ ଗୁଡିକରେ ଲୋକଙ୍କ ଯାତାୟାତ ଚାଲିଥିବାବେଳେ ମୁଖ୍ୟ ରାସ୍ତା ଓ ଛକ ଗୁଡିକରେ ଲୋକ ଗହଳି ଦେଖିବାକୁ ମିଳୁନାହିଁ ।

Comments (0)
Add Comment