ଜାତୀୟ କ୍ରୀଡାରେ ବୌଦ୍ଧ ତାଇକୋଣ୍ଡୁ ଖେଳାଳୀଙ୍କ କୃତିତ୍ୱ

ବୌଦ୍ଧ,୨୭/୪:- ବୌଦ୍ଧ ତାଇକୋଣ୍ଡୁ ଆସୋସିଏସନ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିନାଶ ପାଣ୍ଡିଆ ଯୋଗଦାନ କରି କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ । ଉପଦେଷ୍ଟା ଦେବାଶିଷ ପୁରୋହିତଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ସମ୍ପାଦକ ଅଞ୍ଜିତ କୁମାର ସାହୁ ଖେଳାଳୀମାନଙ୍କ କୃତିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଗତ ୫ ବର୍ଷରେ ଖେଳାଳିମାନେ ଅନ୍ତର୍ଜାତୀୟ ସ୍ତରରେ ୯ଗୋଟି ସ୍ୱର୍ଣ୍ଣ ପଦକ, ୧୪ ଗୋଟି ରୋପ୍ୟ ପଦକ, ୫ଗୋଟି ବ୍ରୋଞ୍ଜ ପଦକ, ଜାତୀୟ ସ୍ତରରେ ୩ ଗୋଟି ସ୍ୱର୍ଣ୍ଣ ପଦକ, ୭ ଗୋଟି ବ୍ରୋଞ୍ଜ ପଦକ, ରାଜ୍ୟସ୍ତରରେ ୩୩ ଗୋଟି ସ୍ୱର୍ଣ୍ଣ ପଦକ, ୨୨ ଗୋଟି ରୋପ୍ୟପଦକ, ୨୯ ଗୋଟି ବ୍ରୋଞ୍ଜ ପଦକ, ଜୋନାଲ ସ୍ତରରେ ୭୮ ସ୍ୱର୍ଣ୍ଣ ପଦକ, ୪୭ ଗୋଟି ରୋପ୍ୟ ପଦକ, ୩୨ ଗୋଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୨୦୧୯ ମସିହାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମୂଥାଇ ପ୍ରତିଯୋଗିତାରେ ୯ ଗୋଟି ସ୍ୱର୍ଣ୍ଣ ପଦକ, ୩ ଗୋଟି ରୋପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲାର ଗୌରବ ଆଣିବା ସହିତ ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ସଭାପତି ଯଜେ୍ଞଶ୍ୱର ମିଶ୍ର ଆସୋସିଏସନର ପ୍ରତିଷ୍ଠା ଏବଂ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନକୁ ଅନୁରୋଧ ପରେ ଛାତ୍ରଛାତ୍ରୀମାନଙ୍କୁ ମେଟ ପ୍ରଦାନ କରିଥିବାରୁ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଖେଳପାଇଁ ସ୍ୱତନ୍ତ୍ର ପଡିଆ ଓ ମେଟ ପାଇଁ ସ୍ୱତନ୍ତ୍ର କଠୋରୀ ଯୋଗାଇ ଦିଆଗଲେ ଖେଳର ମାନ ବୃଦ୍ଧି ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା । ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଖେଳାଳିମାନେ ହେଲେ ସୁଲଗ୍ନା ମିଶ୍ର, ମନୀଷା ସାହୁ, ସୁନୟନା ମେହେର, ଅଭିନାଶ ମେଣ୍ଡଳି, ରାଜେଶ ମେହେର, ତନ୍ମୟ ବର୍ଦ୍ଧନ ସାହୁ, ଅନ୍ୱେଷା ସାହୁ, ଚନ୍ଦ୍ରପୂଜିତା ମିଶ୍ର, ସାଧନାରାଣୀ ଜେନା, ଅସ୍ମିତ କୁମାର ସାହୁ, ସୁବାଶିଷ ମହିଷାଳ, ସ୍ୱାଗତ ମିର୍ଦ୍ଧା ପ୍ରମୁଖ କୃତିତ୍ୱ ଅର୍ଜନ କରିଛନ୍ତି । ବୌଦ୍ଧଜିଲ୍ଲାରୁ ଗୋଟିଏ ବ୍ୟାଚରେ ୨୧ ଜଣ ଛାତ୍ରଛାତ୍ରୀ ବ୍ଲାକବେଲ୍ଟ ହାସଲ କରି ରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଜୋନାଲ, ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସ୍ୱର୍ଣ୍ଣ, ରୋପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିବା ସହିତ ବୌଦ୍ଧଜିଲ୍ଲାକୁ କ୍ରୀଡ଼ାବିତମାନେ ଚମ୍ପିୟାନ କରି ଗୌରବ ଆଣି ପାରିଛନ୍ତି । ମୁଖ୍ୟ ଅତିଥି ଶ୍ରୀ ପାଣ୍ଡିଆ ମେଟ ଉଦଘାଟନ କରିବା ପରେ ଖେଳ ପ୍ରଦର୍ଶନ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ପୁମସି ଓ କ୍ୟୁରୋଗୀ ଖେଳଦେଖିବା ପରେ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକୀୟ ଉପକରଣ ଓ ଭିତ୍ତିଭୂମି ଯୋଗାଇ ଦେବାପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ପାଣ୍ଡିଆ ପ୍ରକାଶ କରିଥିଲେ । ଶେଷରେ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ବିଶ୍ୱରଞ୍ଜନ ସାହୁ, ଅରୁଣ ମେଣ୍ଡଳି, ଲୋକନାଥ ମେହେର, ଅମନ କୁମାର ସାହୁ, ରାମଚନ୍ଦ୍ର ସାହୁ, ତ୍ରିଲୋଚନ ବେହେରା, ସଞ୍ଜୟ ମିର୍ଦ୍ଧା, ପୀତବାସ ମେହେର ପ୍ରମୁଖ ପରିଚାଳନା କରିଥିଲେ ।

Comments (0)
Add Comment