ଶତାୟୁ ପୁରୁଷ ସ୍ୱାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ରଙ୍କ ପରଲୋକ

ବୌଦ୍ଧ,୧୫/୧ – ବୌଦ୍ଧ ସହରର ସମସ୍ତଙ୍କ ପ୍ରିୟ ଗୌରମୋହନ ମିଶ୍ରଙ୍କ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ତାଙ୍କ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବସନ୍ତବାହାଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶିକ୍ଷାଗ୍ରହଣ ସରିବା ପରେ କିଛିଦିନ ପାଇଁ ଚାକିରୀ କରିଥିଲେ କିନ୍ତୁ ସ୍ୱାଭିମାନୀ ଯୋଗୁଁ ଚାକିରୀ ଛାଡି ଦେଇଥିଲେ । ପରବର୍ତ୍ତା ସମୟରେ ଚାଷବାସ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ସେ ରାଜତନ୍ତ୍ର ଓ ବ୍ରିଟିଶ ବିରୁଦ୍ଧରେ ସଂଗ୍ରାମ କରୁଥିଲେ । ପ୍ରଜା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ । ରାଜୁଡାଶାସନ ବ୍ରିଟିଶ ଶାସନ ସମୟର ଅତ୍ୟାଚାର ସମ୍ପର୍କିତ ଲେଖା ବିଭିନ୍ନ ପତ୍ରପତ୍ରିକା ଓ ସ୍ମରଣିକାରେ ତାଙ୍କ ଲେଖା ପ୍ରକାଶ ପାଇଥିଲା । ସାମ୍ବାଦିକ ଭାବେ କିଛିଦିନ କାର୍ଯ୍ୟ କରିଥିଲେ । ସେ ବ୍ରାହ୍ମଣ ସମାଜର ସଭାପତି, ନାଗରିକ କମିଟିର ସଭାପତି ଭାବେ ଦୀର୍ଘବର୍ଷ ଧରି ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କର ତିନିପୁଅ ଓ ଦୁଇଗୋଟି ଝିଅ ଅଛନ୍ତି । ମୃତ୍ୟୁବେଳକୁ ତାଙ୍କର ବଡ ପୁଅ, ମଝିଆ ପୁଅ ଓ ବୋହୁ ଉପସ୍ଥିତ ରହିଥିଲେ । ତାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଖବରପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ,ସାମ୍ବାଦିକ, ଓକିଲ, ନାଗରିକ କମିଟିର ସଦସ୍ୟମାନେ ତାଙ୍କ ମର ଶରୀରକୁ ଦର୍ଶନ କରିଛନ୍ତି । ଜିଲ୍ଲା ସାମ୍ବାଦିକ ଫୋରମ୍‌ ସଂପାଦକ ଯୁଗଳ କିଶୋର ସାମଲ ଗଭୀର ଶୋକ ପ୍ରକାଶ କରିବା ସହ ତା’ଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ତାଙ୍କ ସମ୍ପର୍କୀୟ ଆସିବାପରେ ଆସନ୍ତାକାଲି ସକାଳେ ନିର୍ବାଣ ଧାମରେ ଅନ୍ତେଷ୍ଟିକ୍ରିୟା କରାଯିବ ବୋଲି ବଡପୁଅ ବରିଷ୍ଠ ଆଇନଜୀବୀ ଓମପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି ।

Comments (0)
Add Comment