ଛଟେଇ କଂପ୍ୟୁଟର ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ବୌଦ୍ଧ,୫/୭- ବୌଦ୍ଧଜିଲ୍ଲା ଛଟେଇ କଂପ୍ୟୁଟର ଶିକ୍ଷକସଂଘ ପକ୍ଷରୁ ଶିକ୍ଷା ସଚିବ ତଥା ଏସପିଡି ଓସେପାଙ୍କ ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ୨୦୧୪ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଦୀର୍ଘ ୫ବର୍ଷ କାଳ ସ୍ୱଳ୍ପ ଦରମାରେ ବିଭିନ୍ନ ହାଇସ୍କୁଲରେ ଏହି କଂପ୍ୟୁଟର ଶିକ୍ଷକମାନେ କାର୍ଯ୍ୟ କରୁଥିଲେ । ପିଲାମାନଙ୍କୁ କଂପ୍ୟୁଟର ଶିକ୍ଷାଦେବାସହ ସ୍କୁଲର ବିଭିନ୍ନ ଅନଲାଇନ କାମ, ମାଟ୍ରିକ ମୂଲ୍ୟାୟନ ଏବଂ ନିର୍ବାଚନ କାମ ମଧ୍ୟ କରୁଥିଲେ । କିନ୍ତୁ ୨୦୧୯ ଅପ୍ରେଲ ମାସରୁ ସମସ୍ତ କଂପ୍ୟୁଟର ଶିକ୍ଷକଙ୍କୁ ରାଜ୍ୟସରକାର ଛଟେଇ କରିଦେଇଥିଲେ । ଫଳରେ ବୌଦ୍ଧଜିଲ୍ଲାର ୨୮ ଜଣ କଂପ୍ୟୁଟର ଶିକ୍ଷକ ଛଟେଇ ହୋଇଥିଲେ । ଗତ ୨ବର୍ଷ ମଧ୍ୟରେ ଅନେକଥର ରାଜ୍ୟସଂଘ ପକ୍ଷରୁ ସରକାରଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଗତ ମେ ୧୦ ତାରିଖରେ ସଂଘ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା । ଏହାର ତର୍ଜମା କରି ୩ମାସ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ତେଣୁ ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବୌଦ୍ଧଜିଲ୍ଲା ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ତରଫରୁ ଜିଲ୍ଲା ସଭାପତି ସ୍ୱାଧୀନ ରାଜହଂସ ଓ ସଂପାଦକ ଆଶିଷ କୁମାର ସାହୁଙ୍କ ନେତୃତ୍ୱରେ ସମସ୍ତ କଂପ୍ୟୁଟର ଶିକ୍ଷକ ଜିଲ୍ଲାପାଳଙ୍କୁ ଭେଟି ହାଇକୋର୍ଟଙ୍କ ନିର୍ଦ୍ଦେଶ ସହ ଦାବିପତ୍ର ପ୍ରଦାନ କରିଛନ୍ତି ।

Comments (0)
Add Comment