ବୌଦ୍ଧ,୭/୭ – ପୂର୍ବ ରାତିରେ ବିଲ ମଧ୍ୟରେ ଛିଣ୍ଡି ପଡିଥିବା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବୌଦ୍ଧ ବ୍ଲକ୍ ସରଣ୍ଡା ଗ୍ରାମର କ୍ଷୁଦ୍ର ତଥା ଭାଗ ଚାଷୀ ଚଂପେଶ୍ୱର ପ୍ରଧାନଙ୍କ ୨ ଗୋଟି ବଳଦ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଭୋର ପ୍ରାୟ ୫ ଘଣ୍ଟା ସମୟରେ ସରଣ୍ଡା ଗ୍ରାମର କୃଷକ ଚଂପେଶ୍ୱର ପ୍ରଧାନ ବଳଦଙ୍କୁ ଜୁଆଡି ଫାନ୍ଦୀ ହଳଲଙ୍ଗଳ ସହ ଜମି ହଳ କରିବାକୁ ନିଜ ଜମିକୁ ଯାଉଥିଲେ । ପୂର୍ବ ରାତିରେ ଛିଣ୍ଡି ପଡିଥିବା ୧୧ କେ.ଭି. ବିଦ୍ୟୁତ୍ ତାର ପଡିଥିବା ବେଳେ ବଳଦ ଦୁଇଟି ତାର ସଂସ୍ପର୍ଶରେ ଆସିଥିଲେ । ଜୁଆଡି ଫନ୍ଦା ଅବସ୍ଥାରେ ବଳଦ ଦୁଇଟି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ସୌଭାଗ୍ୟକୁ ପଛେ ପଛେ ଯାଉଥିବା ଚଂପେଶ୍ୱର ଅଳ୍ପକେ ରକ୍ଷାପାଇ ଯାଇଥିଲେ । ଘଟଣା ଘଟିବା ପରେ ଖବରପାଇ ବିଦ୍ୟୁତ୍ ବିଭାଗ କରେଣ୍ଟ କାଟିଥିଲେ । ବିଦ୍ୟୁତ୍ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ କରି ଆସିଛନ୍ତି । ହିନ୍ଦୁ ଧର୍ମ ଅନୁଯାୟୀ ନିଜକୁ ପାପ ହେବା ଆଶଙ୍କାରେ ଚଂପେଶ୍ୱର କୌଣସି କ୍ଷତି ପୂରଣ ଦାବି କରିନଥିବା ଜଣାପଡିଛି । ବଳଦଙ୍କୁ ଜୁଆଡି ଫାନ୍ଦିଥିବା ହେତୁ ପାତକ ଲାଗିଥିବା ମନେକରି କଠୋର ପ୍ରତିକାର କରୁଥିବା ଦେଖିବାକୁ ମିଳୁଛି । କାହା ସହ କଥାବାର୍ତ୍ତା ନ ହେବା, ନିଜ ବେକରେ ପଘା ବାନ୍ଧିବା, ଦୈନିକ ଗୋଟିଏ ଓଳି ଭୋଜନ କରିବା, ଗୋରୁ ଗୁହାଳରେ ତଳେ ରାତ୍ରୀଯାପନ କରିବା, ସକାଳୁ ଗୋରୁପଲ ସହ ବୁଲିବା ଭଳି କଠୋର ନୀତି ନିୟମ ସପ୍ତାହେ ପାଇଁ ପାଳନ କରୁଛନ୍ତି । ସପ୍ତାହେ ପରେ ଜାତିଲୋକଙ୍କୁ ଭୋଜି ଭାତ ଦେଇ ସେ ପାତକ କ୍ଷୟ କରିବେ ବୋଲି ଜଣାପଡିଛି । ମୋଟାମୋଟି କହିବାକୁ ଗଲେ ଚଂପେଶ୍ୱର ପ୍ରଧାନଙ୍କ ଉପରେ ବୋଝ ଉପରେ ନଳିତା ବିଡା ଭଳି ଏ ସବୁ ଦଣ୍ଡ ହେଉଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି ।