କେବେ କାର୍ଯ୍ୟକ୍ଷମ ହେବ ଥଣ୍ଡା ପାନୀୟ ଜଳପ୍ରକଳ୍ପ ?

ବୌଦ୍ଧ,୬/୪ – ବୌଦ୍ଧବ୍ଲକ୍‌ ବାଉଁଶୁଣୀ ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥଣ୍ଡାପାନୀୟ ଜଳ ପ୍ରକଳ୍ପ ଗୋଟିଏ ନିର୍ମାଣ ପାଇଁ ଆଜକୁ ତିନି ବର୍ଷ ତଳେ ବୌଦ୍ଧ ବ୍ଲକ୍‌ ତରଫରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରକଳ୍ପ ଗୃହ ନିର୍ମାଣ କାର୍ଯ୍ୟ ସରିଯାଇଥିବା ବେଳେ ପାଣି ଟାଙ୍କି କିମ୍ବା ଫ୍ରୀଜର୍‌ ଗତ ତିନିବର୍ଷ ମଧ୍ୟରେ ଲାଗିପାରିଲା ନାହିଁ । ନିର୍ମାଣ ହୋଇଥିବା ଘର ନିକଟରେ କୌଣସି ସୁଚନା ଫଳକ ନଥିବା ହେତୁ ଏ ପ୍ରକଳ୍ପ କେତେ ଟଙ୍କାର ଓ ତା ସମ୍ପର୍କରେ ଅନ୍ୟାନ୍ୟ ତଥ୍ୟ ଜଣାପଡିନାହିଁ । ମାତ୍ର ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜକୁ ୩ ବର୍ଷ ହେଲା ଆରମ୍ଭ କରାଯାଇଥିବା ଜଣାପଡିଛି । ରୋଗୀ ଓ ତାଙ୍କ ତତ୍ତ୍ୱାବଧାନ ପାଇଁ ଆସିଥିବା ସମ୍ପର୍କୀୟମାନେ ପାଣି ପାଇଁ ହଇରାଣ ହେଉଥିବା ବେଳେ ସରକାରୀ ଟଂକା ଖର୍ଚ୍ଚ କରି ଅଧାପଂତରିଆ ଭାବେ ପ୍ରକଳ୍ପ ପକାଯାଇଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ତୁରନ୍ତ ପ୍ରକଳ୍ପକୁ ସଂପୂର୍ଣ୍ଣ ଓ କାର୍ଯ୍ୟକ୍ଷମ କରିବାପାଇଁ ଜନସାଧାରଣରେ ଦାବି ହେଉଛି ।

Comments (0)
Add Comment