ପ୍ରାଣୀ ନିରୀକ୍ଷକ ଆସୁନଥିବାରୁ ଗୋପାଳକ ଅଫିସରେ ପକାଇଲେ ତାଲା

ବୌଦ୍ଧ/ଜହ୍ନାପଙ୍କ,୧୧/୭- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କରେ ଥିବା ପ୍ରାଣୀ ସହାୟକ କେନ୍ଦ୍ରର ପ୍ରାଣୀ ନିରୀକ୍ଷକ ଦୀର୍ଘଦିନ ହେଲା ଆସୁନଥିବାରୁ ଗୋସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଅଞ୍ଚଳବାସୀ ବାରମ୍ବାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଧିକାରୀ ଓ ପ୍ରାଣୀ ନିରୀକ୍ଷକଙ୍କ ଭିତିରି ବୁଝାମଣା ଯୋଗୁଁ କାର୍ଯ ।ନୁଷ୍ଠାନ ନେବା ତ ଦୂରର କଥା ଓଲଟା ତାଙ୍କୁ ସୁରକ୍ଷା ଦେଉଥିବାରୁ ସମ୍ପୃକ୍ତ ଡାକ୍ତର କିଛି ଶୁଣୁନଥିବା ଅଭିଯୋଗ କରିଛନ୍ତି । ଡାକ୍ତର କାର୍ଯ୍ୟାଳୟକୁ ଆସୁନଥିବାରୁ ଗୋପାଳକମାନେ କେନ୍ଦ୍ରକୁ ଗୋରୁଗାଈ ଆଣି ଘଣ୍ଟା ଘଣ୍ଟା ଧରି ଜଗୁଛନ୍ତି ।ଏବଂ ଶେଷରେ ନିରାଶ ହୋଇ ଫେରିଯାଉଛନ୍ତି । ଆବଶ୍ୟକ ଚିକିତ୍ସା ଅଭାବରୁ ଗତ ଜୁନ ମାସରେ ପାର୍ଥ ପ୍ରଧାନଙ୍କ ଏକ ବାଛୁରୀ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ସମ୍ପୃକ୍ତ ଡାକ୍ତର ଏକ କ୍ୱାକକୁ ନିଯୁକ୍ତି ଦେଇ ଆସୁନାହାନ୍ତି । ଗୋରୁଗାଈଙ୍କ ପାଇଁ ଆସୁଥିବା ବିଭିନ୍ନ ଔଷଧ ସରକାର ମାଗଣା ଯୋଗାଇ ଦେଇଥିଲେ ମଧ୍ୟ ସଂପୃକ୍ତ କ୍ୱାକ ଶହେରୁ ଦୁଇ ଶହ ଟଙ୍କା ନେଉଛନ୍ତି । ଫଳରେ ଆଜି ଗୋପାଳକଙ୍କ ରାଗ ଚରମ ସୀମାରେ ପହଁଚିଥିଲା । ବିଭିନ୍ନ ଗ୍ରାମରୁ ଆସିଥିବା ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ଗୋପାଳକ ଜହ୍ନାପଙ୍କ ପ୍ରାଣୀ ସହାୟକ କେନ୍ଦ୍ରରେ ଆଜି ସକାଳ ପ୍ରାୟ ୭ ଟାରୁ ତାଲା ପକାଇଛନ୍ତି । ଏହାର ସ୍ଥାୟୀ ସମାଧାନ ନହେଲା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ସେମାନେ କହିଛନ୍ତି । ଏ ସମ୍ପର୍କରେ ବାଉଁଶୁଣୀ ଭେଟେନେରି ସର୍ଜନ ପ୍ରିୟବ୍ରତ ବେହେରାଙ୍କୁ ଯୋଗାଯୋଗ କରିବାରୁ ପ୍ରାଣୀ ନିରୀକ୍ଷକ ଛୁଟିରେ ଅଛନ୍ତି । ମଙ୍ଗଳବାର ମୁଁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବି ବୋଲି କହିଥିଲେ ।

Comments (0)
Add Comment