ବୌଦ୍ଧଜିଲ୍ଲା ବୈଜ୍ଞାନିକ ଡା.କରୁଣାକର ନନ୍ଦ : ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ସଂସ୍ଥାର ନିର୍ଦ୍ଦେଶକ ନିଯୁକ୍ତ

ବୌଦ୍ଧ,୧୯/୬ – ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଖଟଖଟିଆ ଗ୍ରାମର ବୈଜ୍ଞାନିକ ଡା. କରୁଣାକର ନନ୍ଦ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ (ପଦାର୍ଥ ବିଜ୍ଞାନ ଅନୁଷ୍ଠାନ)ର ନୂତନ ଡ଼ାଇରେକ୍ଟର (ନିର୍ଦ୍ଦେଶକ) ଭାବେ ଗୁରୁବାର ନିଯୁକ୍ତ ହୋଇଛନ୍ତି । ଏଥି ପୂର୍ବରୁ ସେ ୨୦୦୫ ମସିହାରୁ ମେଟେରିଆଲ ରିସର୍ଚ୍ଚ ସେଣ୍ଟର, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ବେଙ୍ଗାଲୁରୁର ଏଚ ଓ ଡି(ବିଭାଗୀୟ ମୁଖ୍ୟ) ରହିଥିଲେ । ଗତବର୍ଷ ନଭେମ୍ବର ମାସରେ ଆମେରିକା ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରକାଶିତ ରିପୋର୍ଟ ମୁତାବକ ଆପ୍ଲାଏଡ଼ ଫିଜିକ୍ସ (ପ୍ରୟୋଗାତ୍ମକ ପଦାର୍ଥ ବିଜ୍ଞାନ) କ୍ଷେତ୍ରରେ ସେ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ଏ କ୍ଷେତ୍ରରେ ତାଙ୍କ ବିଶ୍ୱବ୍ୟାପୀ ମାନ୍ୟତା ୧୩୭୨,ସି ସ୍କୋର ୩.୭୧୯ ଏବଂ ସେ ୦.୬୧୦ ପ୍ରତିଶତ ଶୀର୍ଷରେ ରହିଥିଲେ । ସେ ମୋଟ ୨୧୨ ରିସର୍ଚ୍ଚ ପେପର ଦେଇଥିଲାବେଳେ ତାଙ୍କର ପ୍ରଥମ ପ୍ରକାଶନ ୧୯୯୪ ଓ ଶେଷ ପ୍ରକାଶନ ୨୦୨୦ ରହିଥିଲା । ସେ ୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ପିଏଚଡି ଗାଇଡ଼ ରହିଥିଲେ । ଡକ୍ଟରେଟ ପରବର୍ତ୍ତୀ ଅଧିକ ଜ୍ଞାନ ଆହରଣ ଓ ରିସର୍ଚ୍ଚ ପାଇଁ ସେ ଜର୍ମାନୀ ଓ ଆୟରଲାଣ୍ଡରେ ଅଧ୍ୟୟନ ମଧ୍ୟ କରିଛନ୍ତି । ଏତଦବ୍ୟତୀତ ସେ ସାମନ୍ତ ଚନ୍ଦ୍ରଶେଖର ଆୱାର୍ଡ, ଏମ ଆଇ ଏସ ଆଇ ଲେକ୍‌ଚର ମେଡାଲ, ଜାପାନର ଜେ ଏସ ପି ଏସ ଇଂଭାଇଟେସନ ଫେଲୋସିପ ,ସହ ଅନେକ ଆୱାର୍ଡ ପାଇଛନ୍ତି । ଡାକ୍ତର ନନ୍ଦ ଖଟଖଟିଆର ଚାଷୀ ଦାମୋଦର ନନ୍ଦଙ୍କ ଏକମାତ୍ର ପୁତ୍ର । ଡାକ୍ତର ନନ୍ଦ ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା, ପଲସାଗୋରାରେ ମ୍ୟାଟ୍ରିକ, ସୋନପୁର ମହାବିଦ୍ୟାଳୟରେ ସ୍ନାତକ, ସମ୍ବଲପୁର ବିଶ୍ୱବିଦ୍ୟାଳୟ (ବୁର୍ଲା)ରେ ସ୍ନାତକୋତ୍ତର ଏବଂ ବର୍ତ୍ତମାନ ଯେଉଁ ଅନୁଷ୍ଠାନର ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି ସେଠାରୁ ପି ଏଚ ଡି କରିଥିଲେ ।

Comments (0)
Add Comment