ସାର ଯୋଗାଣ ଅବହେଳା ପ୍ରତିବାଦରେ ବିଜୁ କୃଷକ ଜନତା ଦଳର ବିକ୍ଷୋଭ ସମାବେଶ

ବୌଦ୍ଧ,୧/୯- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ କୃଷକ ଜନତା ଦଳ ତରଫରୁ କେନ୍ଦ୍ର ସରକାର ସାର ଯୋଗାଇବାରେ ବିଫଳ ହୋଇଥିବାରୁ କେନ୍ଦ୍ରସରାକାର ବିରୁଦ୍ଧରେ ନାରାବାଜି କରି ଧାରଣାରେ ବସିଥିଲେ । ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଏହି ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କ ଦାବି ନାର୍ଯ୍ୟ ଦାବି ବୋଲି କହିଥିଲେ । ଚଳିତବର୍ଷ ରାଜ୍ୟରେ ଖରିଫ ଋତୁରେ ୬୧ଲକ୍ଷ ୯୬ ହଜାର ହେକ୍ଟର ଜମିରେ ଫସଲ ଚାଷ କରାଯାଇଛି । ଏଥିସହିତ ୧ଲକ୍ଷ ୫୦ ହଜାର ହେକ୍ଟର ଜମିରେ ଧାନରୁ ଅଧିକ ଲାଭଦାୟକ ଫସଲ ମକା, କପା ଓ ପନିପରିବା ଚାଷ ପାଇଁ ଫସଲ ବିବିଧିକରଣ କାର୍ଯ୍ୟକ୍ରମ କରାଯାଇଅଛି । ଏହି ଫସଲଗୁଡିକ ପାଇଁ ଅଧିକ ସାର ଦରକାର । କିନ୍ତୁ କେନ୍ଦ୍ରସରକାର ଏହି ସାର ଯୋଗାଇବାରେ ବିଫଳ ହୋଇଥିବାରୁ ଚାଷୀମାନେ ଚାଷକାର୍ଯ୍ୟରେ ସାର ବ୍ୟବହାର କରିପାରୁନଥିବାରୁ ଗଛସବୁ ମରିବାକୁ ବସିଲାଣି । ତେଣୁ କେନ୍ଦ୍ରସରକାରଙ୍କ ଏଭଳି ଅବଚାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବାସହିତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଜେଡି ଜୋନାଲ ସଭାପତି ଅଶୋକ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାଏକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଯୁବ ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଛାତ୍ର ସଭାପତି ସଂଗ୍ରାମ ଦାସ, ବୌଦ୍ଧବ୍ଲକ ଉପାଧ୍ୟକ୍ଷ ମନୋରଞ୍ଜନ ପୁରୋହିତ, ବୌଦ୍ଧବ୍ଲକ ସରପଞ୍ଚ ସଂଘର ସଭାପତି ବିଦ୍ୟାଧର ସ୍ୱାଇଁ, କୃଷକନେତା ଭୋଳାଗିରି ସାହୁଙ୍କ ସମେତ ବହୁ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ ।

Comments (0)
Add Comment