ବୌଦ୍ଧରେ ୬ଘଣ୍ଟିଆ ବନ୍ଦ ପାଳନ

ବୌଦ୍ଧ,୧୫/୭- ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ତଥା ଖାଉଟି ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଆଜି ସିପିଆଇ ଓ କଂଗ୍ରେସ ତରଫରୁ ସକାଳ ୬ ରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ଘଣ୍ଟିଆ ବୌଦ୍ଧବନ୍ଦ ପାଳନ ହୋଇଯାଇଛି । ସିପିଆଇ ଦଳ ତରଫରୁ ସାଙ୍କେତିକ ଭାବେ ବନ୍ଦ ପାଳନ କରାଯାଇଥିବାବେଳେ କଂଗ୍ରେସ ଦଳ ମଧ୍ୟ ସମର୍ଥନ କରି ବନ୍ଦ ପାଳନ କରିଥିଲା । ଯାନବାହନ ଚଳାଚଳ, ପେଟ୍ରୋଲ ପଂପ୍‌ ୬ଘଣ୍ଟା ପାଇଁ ବନ୍ଦ ରହିଥିବା ବେଳେ ସମସ୍ତ ଦୋକାନ ବଜାର, କୋର୍ଟ, କଚେରୀ, ବ୍ୟାଙ୍କ, ସରକାରୀ ବେସରକାରୀ ଅଫିସ ସବୁ ଖୋଲାଥିବା ଦେଖିବାକୁ ମିଳିଥିଲା । ସିପିଆଇ ତରଫରୁ ସିପିଆଇ ନେତାଅବକାଶ ସାହୁଙ୍କ ନେତୃତ୍ୱରେ ଶତାଧିକ ସିପିଆଇ କର୍ମୀ ଏନଏସି ଛକଠାରେ ଯାନବାହନ ଅଟକାଉଥିବାବେଳେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି କରିଥିଲେ ।

ସେହିପରି ଜିଲ୍ଲା କଂଗ୍ରେସ ତରଫରୁ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବ୍ରିଜଛକ ଠାରେ ଯାନବାହନ ଅଟକାଇ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ, ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରକୁ ନିୟନ୍ତ୍ରଣ କରିବାକୁ ଦାବି କରିବା ସହିତ କେନ୍ଦ୍ରସରକାରକୁ ସମାଲୋଚନା କରିଥିଲେ ।

ଏହି ବନ୍ଦ ସମୟରେ ବ୍ରିଜଛକ ଠାରେ ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ଶାନ୍ତି, ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ଛକମାନଙ୍କରେ ପୁଲିସ ମୁତୟନ କରାଯାଇଥିବାବେଳେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା । ଜିଲ୍ଲାର ପୁରୁଣାକଟକ, ଚାରିଛକ ଠାରେ ମଧ୍ୟ ସିପିଆଇ ନେତା ଅବକାଶଙ୍କ ନେତୃତ୍ୱରେ କର୍ମୀମାନେ ବନ୍ଦ ପାଳନ କରିଥିଲେ ।

Comments (0)
Add Comment