ବୌଦ୍ଧ, ୯/୮- କୋଭିଡ-୧୯ ଯୋଗୁଁ ରାଜ୍ୟ ସରକାର ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମରେ ୨୫ଜଣ ବ୍ୟକ୍ତି ହିଁ ଯୋଗଦେଇପାରିବେ ବୋଲି ଗାଇଡଲାଇନ ଦେଇଥିଲେ । ଏବେ ସଂକ୍ରମଣ କମୁଥିବାର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରରେ ନିୟମକୁ କୋହଳ କରୁଥିବାବେଳେ ଏଥିରେ କିନ୍ତୁ କୌଣସି କୋହଳ କରାଯାଇନାହିଁ । ଫଳରେ ଏହି ବ୍ୟବସାୟ ସହିତ ଜଡିତ ଲୋକଙ୍କର ଜୀବିକା ଉପରେ ପ୍ରଭାବ ପଡି ଆର୍ଥିକ ସ୍ଥିତି ଦୟନୀୟ ହୋଇପଡିଛି । ତେଣୁ ଏହି ନିୟମରେ କିଛି କୋହଳ କରାଯାଇ ଅନ୍ୟୁନ ୩୦୦ ବ୍ୟକ୍ତିଙ୍କୁ ଯୋଗଦେବାକୁ ଅନୁମତି ପ୍ରଦାନ କରିବାକୁ ଆଜି ବୌଦ୍ଧଜିଲ୍ଲା ଟେଣ୍ଟ ଲାଇଟ ଓ ଫ୍ଲାୱାର ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘ ସଭାପତି ଶଙ୍କର ପ୍ରସାଦ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଶତାଧିକ କର୍ମଚାରୀ ଏକ ବାଇ ଶୋଭାଯାତ୍ରାରେ ସହରର ରାମେଶ୍ୱର ମନ୍ଦିରରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଦାବିପତ୍ର ପ୍ରଦାନ ସମୟରେ ସଭାପତିଙ୍କ ସମେତ ସଂପାଦକ ଭଗବାନ ସାହୁ, ଉପ-ସଭାପତି ଉମାଶଙ୍କର ପାଢୀ ଉପସ୍ଥିତ ଥିଲେ ।