ବୌଦ୍ଧ,୧୦/୮: ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରେସ କ୍ଲବର ପରାମର୍ଶଦାତା ମନୋରଂଜନ ମିଶ୍ର(୭୪)ଙ୍କ ହଠାତ ହୃଦଘାତରେ ମୃତ୍ୟୁ ଜିଲ୍ଲାରେ କର୍ମରତ ସାମ୍ବାଦିକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଆଜି ସଂଧ୍ୟାରେ ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ ଏକ ଶ୍ରଦ୍ଧାଞ୍ଚଳୀ ସଭା ସଭାପତି ବରଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉପସ୍ଥିତ ସଦସ୍ୟମାନେ ସ୍ୱର୍ଗତ ଆତ୍ମାର ସଦଗତି କାମନାକରି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ସାମ୍ବାଦିକ ମନୋରଞ୍ଜନ ଗତ ଚାରି ଦଶନ୍ଧିଧରି ରାଜ୍ୟର ବିଭିନ୍ନ ଓଡିଆ ଖବର କାଗଜରେ ସମ୍ବାଦ ପରିବେଷଣ କରି ଜିଲ୍ଲାରେ ସାମ୍ବାଦିକତା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିପାରିଥିଲେ । ସେ ଜଣେ ସ୍ପଷ୍ଟବାଦୀ ନିର୍ଭିକ ସାମ୍ବାଦିକ ଥିଲେ । କବିତା ଓ ଗଳ୍ପ ଲେଖିବା ତାଙ୍କର ଏକ ଭିନ୍ନ ରୁଚି ଥିଲା । ତାଙ୍କରି ବିୟୋଗ ଜିଲ୍ଲା ସାମ୍ବାଦିକ ମହଲରେ ଏକ ଅଭାବ ସୃଷ୍ଟି କରିବ ବୋଲି ସଭାରେ ଉପସ୍ଥିତ ସାମ୍ବାଦିକମାନେ ସ୍ମୃତିଚାରଣ କରିଥିଲେ । ସହରର ଗାନ୍ଧିଛକ ଠାରେ ବସବାସ କରୁଥିବା ସ୍ୱର୍ଗତ ମିଶ୍ର ଜଣେ ମିଷ୍ଟଭାଷୀ ମେଳାପି ସାମ୍ବାଦିକ ଥିଲେ । ଆଜି ପ୍ରାତଃରେ ବୌଦ୍ଧସ୍ଥିତ ରାଜଘାଟ ଠାରେ ତାଙ୍କରି ଶେଷକୃତ୍ୟ ପୁତ୍ର ଶିବାନନ୍ଦଙ୍କ ଦ୍ୱାରା ସଂପନ୍ନ କରାଯାଇଥିଲା । ତାଙ୍କରି ବିୟୋଗରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଗଠନ, ସାହିତ୍ୟିକ, କବି, ପ୍ରଶାସକ ତଥା ରାଜନେତା ଗଭୀର ଶୋକପ୍ରକଟ କରିଥିଲେ ।