ବୌଦ୍ଧ,୭/୪ – ବୌଦ୍ଧ ଜିଲ୍ଲାରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୁଚନା ଦେଇଛି । ଦୁଇ ଦିନ ତଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ମନୁପାଲି ଶାଖାର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହେବାପରେ ଗତକାଲି ବୌଦ୍ଧ ବିଡିଓ ବ୍ୟାଙ୍କ ପରିସରକୁ ସିଲ କରିଥିଲେ । ସେହିପରି ଆଜି ଘୋଷିତ ହୋଇଥିବା ଦୁଇଜଣ କରୋନା ପଜିଟିଭଙ୍କ ସଂପର୍କରେ ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ ଏହା ଦୁଇଦିନ ତଳର ପୁରୁଣା ମାମଲା ଓ ରାଜ୍ୟରୁ ଆଜି ଘୋଷଣା କରାଯାଇଛି । ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହରଭଙ୍ଗା ବ୍ଲକ ରାମ୍ଭିକଟା ଠାରେ ଥିବା ବୌଦ୍ଧ ଡିଷ୍ଟଲାରୀ ପ୍ରାଇଭେଟ୍ ଲିମିଟେଡର କର୍ମଚାରୀ ଓ ସେ ବିହାର ରାଜ୍ୟରୁ ଆସିଥିଲେ । ଅନ୍ୟ ପଜିଟିଭ ହେଉଛନ୍ତି ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ଥିବା ଏକ ବ୍ୟାଙ୍କର ଜଣେ କର୍ମଚାରୀ । ସେ ଭୁବନେଶ୍ୱରରୁ ଫେରିବାପରେ ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ସେମାନଙ୍କ ସହ ସଂପର୍କରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ଠାରୁ ପରୀକ୍ଷାପାଇଁ ନମୁନା ସଂଗ୍ରହ କରାଯାଇଥିବା ଜଣାପଡିଛି । ଜିଲ୍ଲାରୁ ସଂଗ୍ରହ ହୋଇଥିବା ୧୧୧ ଗୋଟି ସ୍ୱାବକୁ ଆଜି ଆର.ଟି.ପି.ସି.ଆର. ପରୀକ୍ଷଣ ପାଇଁ ଭୁବନେଶ୍ୱରସ୍ଥିତ ପରୀକ୍ଷାଗାରକୁ ପଠାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।