ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ସି.ଇ.ଓଙ୍କ ଆସ୍କାକୁ ବଦଳି

ବୌଦ୍ଧ,୨୨/୧- ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ସୁରେନ୍ଦ୍ର କୁମାର ପ୍ରଧାନ ଗଞ୍ଜାମ ଜିଲ୍ଲା ଆସ୍କା ଠାରେ ଥିବା ଆସ୍କା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃକୁ ବଦଳି ଆଦେଶ ହୋଇଥିବା ଜଣାପଡିଛି । ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଲିଃ କ୍ୟାଡରର ଆସିଷ୍ଟାଣ୍ଟ ଜେନେରାଲ ମେନେଜର ଥିବା ଶ୍ରୀ ପ୍ରଧାନ ୨୦୧୭ ମସିହାରୁ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ, ଅଶୋକ ନଗର, ଭୁବନେଶ୍ୱରସ୍ଥିତ ଶାଖାର ଶାଖା ପରିଚାଳକ ତଥା ଡେପୁଟି ଜେନେରାଲ ମେନେଜର ଥିବା ମନମୋହନ ବେହେରାଙ୍କୁ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ନୂତନ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଛି । ଜାନୁଆୀରୀ ୨୫ ତାରିଖ ମଧ୍ୟରେ ତୁରନ୍ତ ନିଜ ନିଜ ବଦଳି ସ୍ଥାନରେ ଯୋଗଦାନ କରିବାକୁ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ନିଜ ଆଦେଶରେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଶ୍ରୀ ପ୍ରଧାନ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କରେ ଦୀର୍ଘ ପ୍ରାୟ ୪୦ ମାସର ରହଣୀ ସମୟରେ ଅନେକ ଉନ୍ନୟନ କାର୍ଯ୍ୟ କରିଥିଲେ ଓ ବିଭିନ୍ନ ସମୟରେ ନିର୍ମାଣ କାର୍ଯ୍ୟର କାର୍ଯ୍ୟକାରୀତାକୁ ନେଇ ବିବାଦ ଘେରକୁ ଆସିଥିଲେ । ଅବସରପ୍ରାପ୍ତ କର୍ମଚାରୀଙ୍କ ପାଉଣା ପ୍ରଦାନ, କର୍ମଚାରୀ ମାନଙ୍କ ପଦୋନ୍ନତି, ବଦଳି ଆଦି କ୍ଷେତ୍ରରେ ତାଙ୍କ ନାମରେ ଅନେକ ଅଭିଯୋଗ ଆସିଥିଲା । ସମବାୟ ନିବନ୍ଧକ ଓଡିଶାଙ୍କ ନିର୍ଦ୍ଦେଶକ୍ରମେ ଅନେକ ଅଭିଯୋଗର ତଦନ୍ତ ମଧ୍ୟ ଚାଲିଥିବା ସୁଚନା ମିଳିଛି ।

Comments (0)
Add Comment