ହରଭଙ୍ଗା,୨୧/୫- ବୌଦ୍ଧଜିଲ୍ଲାରେ ଦିନକୁଦିନ କୋରନା ମହାମାରୀ ତାର କାୟାବିସ୍ତାର କରିବାରେ ଲାଗିଛି । ଜିଲ୍ଲାରେ ପ୍ରତିଦିନ ଯୋଡି ହେଉଛି ନୂଆ ସଂକ୍ରମଣ ରେକର୍ଡ । ଏବେ ବୌଦ୍ଧଜିଲ୍ଲାର ହଟସ୍ପଟ ସାଜିଛି ହରଭଙ୍ଗା ବ୍ଲକ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ହରଭଙ୍ଗା ବ୍ଲକର ଦେବଗଡ଼, ବାମଣ୍ଡା, ପୁରୁଣାକଟକ, ଇନ୍ଦ୍ରପୁର, ଚନ୍ଦନନଗର, କୃଷ୍ଣପାଲି, ରାୟପୁର, ଠିଡିକାଜୋର ୮ଟି ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ତେବେ ପ୍ରଶାସନ ପକ୍ଷରୁ ଠିଡିକଜୋର ଗ୍ରାମରେ ୧୪ଜଣ ସଂକ୍ରମିତ ଚିହ୍ନଟ ହେବା ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଗଲା ଯାହାକୁ ନେଇ ଏବେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଗତ ଦୁଇଦିନ ତଳେ ଗ୍ରାମରୁ ଅପରାହ୍ନ ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନମୁନା ସଂଗ୍ରହ କରାଯାଇ ଟେଷ୍ଟିଂ କରାଯାଇଥିଲା । କିନ୍ତୁ ଗ୍ରାମରେ ୧୦୦ରୁ ଉର୍ଦ୍ଧ ବାସିନ୍ଦା ରହିଥିବାବେଳେ ମାତ୍ର ୬୪ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା । ସନ୍ଧ୍ୟା ହୋଇଯିବାରୁୁ ବହୁଲୋକ ଟେଷ୍ଟିଂରୁ ବଞ୍ଚିତ ହୋଇ ଫେରିଯାଇଥିଲେ । ଟେଷ୍ଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୪ଜଣଙ୍କ ପଜିଟିଭି ଆସିଥିଲା । ଏବେ ପଜିଟିଭ ପରିବାରଙ୍କୁ ଗାଁରେ ଘୃଣ୍ୟ ନଜରରେ ଦେଖାଯାଉଛି । ଅନ୍ୟପଟେ ଟେଷ୍ଟ କରାଇଥିବା ଗ୍ରାମବାସୀଙ୍କ ଅଭିଯୋଗ ଯେ ଏବେବି ଟେଷ୍ଟ ନକରାଇ ଗ୍ରାମର ଅନେକ ଲୋକ ଜ୍ୱର ଓ ଥଣ୍ଡାରେ ପୀଡିତ ଅଛନ୍ତି । ସମସ୍ତ ଗ୍ରାମବାସୀଙ୍କ କାହିଁକି ଟେଷ୍ଟ କରାଯାଉନାହିଁ । ଏହାକୁ ନେଇ ଏବେ ଗ୍ରାମର ଟେଷ୍ଟିଂ ଓ ଟେଷ୍ଟ ହୋଇନଥିବା ଗୋଷ୍ଠି ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଗ୍ରାମବାସୀ ବାଧ୍ୟତାମୂଳକ ଟେଷ୍ଟ କରାଇବାସହ ଗ୍ରାମକୁ ସାନିଟାଇଜ କରିବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।