ବୌଦ୍ଧ,୪/୧ – ମାମୁଁ ଘର ସହ ନୂଆବର୍ଷରେ ଆଡେନିଗଡ ଗ୍ରାମ ପଞ୍ଚାୟତ ମାଧପୁର ନିକଟରେ ଥିବା କୁମ୍ଭୀଦରହକୁ ଭୋଜି କରିବାକୁ ଯାଇଥିବା ଜଣେ ବାଳକର ଗୋଡ ଖସିଯିବାରୁ ଜଳପ୍ରପାତରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍ ସରସରା ଗ୍ରାମରୁ କିଛି ପରିବାର ମିଶି ନୂଆବର୍ଷ ଭୋଜି କରିବାକୁ କୁମ୍ଭୀଦରହ ଜଳପ୍ରପାତକୁ ରବିବାରଦିନ ଯାଇଥିଲେ । ଜଳ ପ୍ରପାତର ଉପରେ ମୋବାଇଲ୍ ଯୋଗେ ସେଲ୍ଫି ନେବା ବେଳେ ଜଣେ ୧୬ ବର୍ଷର ବାଳକର ଗୋଡ ଖସିଯିବାରୁ ତଳେଥିବା ଗଭୀର ଦରହରେ ପଡିଯାଇଥିଲେ । ସେଠାରେ ଥିବା ଲୋକେ ତୁରନ୍ତ କନ୍ଧମାଳ ଜିଲ୍ଲା ଖଜୁରିପଡା ଦମକଳ ବାହିନୀକୁ ଖବର୍ ଦେଇଥିଲେ । ଦମକଳ ବାହିନୀ ବାଳକକୁ ଉଦ୍ଧାର କରି ପ୍ରଥମେ ଆଡେନିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ଅବସ୍ଥା ଗୁରୁତର ହେବାରୁ ପରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଶେଷରେ ବୌଦ୍ଧ ଡାକ୍ତରଖାନାରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ମୃତ୍ୟୁବରଣ କରିଥିବା ବାଳକଙ୍କ ନାମ ଜୋତିସ୍ମାନ୍ ନାଏକ ଓ ଘର କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳରେ । ସେ ମାମୁଁ ଘର ସରସରାରେ ରହି ଯୁକ୍ତଦୁଇ ପଢୁଥିଲେ ।