ହୀରାଞ୍ଚଳର ପ୍ରଭାବ, ମରାମତି ହେଲା ଅଚଳ ନଳକୂପ

ବୌଦ୍ଧ,୨୨/୫- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଗ୍ରାମର ଦଳିତପଡାରେ ଥିବା ଏକମାତ୍ର ନଳକୂପ ପ୍ରାୟ ଦୁଇ ମାସ ହେଲା ଅଚଳ ହୋଇ ପଡିଥିବା ଯୋଗୁଁ ପଡାବାସୀ ପାଣି ପାଇଁ ହନ୍ତସନ୍ତ ହେଉଥିଲେ । ଏ ସମ୍ପର୍କରେ ଏକ ଖବର ହୀରାଞ୍ଚଳ ଲାଇଭ ଓ ଦୈନିକ ହୀରାଞ୍ଚଳରେ ଗତ ୧୬ ତାରିଖ ଦିନ ପ୍ରକାଶ ପାଇଥିଲା । ପ୍ରକାଶିତ ଖବରକୁ ବରଗଡ ଜିଲ୍ଲା ଭେଡେନ ଅଂଚଳର ସାମାଜିକ କର୍ମୀ ରମେଶ କୁମାର୍‌ ମେହେର ମୁଖ୍ୟମନ୍ତ୍ରୀ, ୫ ଟି, ବୌଦ୍ଧ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ମରାମତି କରାଇବାକୁ ଟ୍ୱିଟ୍‌ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମରାମତି ପାଇଁ ଆଦେଶ ଆସିବା ପରେ ନଳକୂପ ମରାମତି କରାଯାଇଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ପତ୍ର ମାଧ୍ୟମରେ ନିର୍ବାହୀଯନ୍ତ୍ରୀଙ୍କୁ ସୂଚୀତ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନଳକୂପ ଅଚଳ ହେବା ପରେ ନିକଟରେ ଥିବା ପୋଖରୀ ପାଣିକୁ ଗ୍ରାମବାସୀ ବ୍ୟବହାର କରି ଦୈନନ୍ଦିନ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ପୋଖରୀ ଶୁଖି ଯାଇଥିବା ଯୋଗୁଁ ସେମାନେ ଅକଥନୀୟ ଜଳକଷ୍ଟ ଭୋଗ କରୁଥିଲେ । ପିଇବା ଓ ରୋଷେଇ କରିବା ପାଇଁ ବହୁ ଦୂରରୁ ସେମାନେ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଥିଲେ । ଗ୍ରାମର ୱାର୍ଡମେମ୍ବର ଓ ସରସରା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କୁ ବାରମ୍ବାର ନଳକୂପ ମରାମତି ପାଇଁ ପଡାବାସୀ ଅଭିଯୋଗ କରୁଥିଲେ ମଧ୍ୟ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ ।

Comments (0)
Add Comment