ବୌଦ୍ଧ/ଜହ୍ନାପଙ୍କ,୧୫/୭- ରାଜ୍ୟ ସରକାର ଓ କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ସମସ୍ତ କଚ୍ଚା
ଘରକୁ ପକ୍କା ଘର କରିବା ଯୋଜନା ରଖିଥିବାବେଳେ ଏହି ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନାମତେ ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ଗାଁର ଲକ୍ଷ୍ମଣ ନାୟକ ୨୦୧୬-୧୭ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇ ଧାର କରଜ କରି ଘରର ଫାଉଣ୍ଡେସନ ପର୍ଯ୍ୟନ୍ତ କରିଥିଲେ । କାର୍ଯ୍ୟାଦେଶ ମିଳିଲେ ୨୦ ହଜାର ଟଙ୍କା ଜମାଖାତାରେ ଜମା ହେବାର ନିୟମ ରହିଛି । ତେବେ ସେ ବ୍ୟାଙ୍କକୁ ଯାଇ ଜମାଖାତା ତନଖି କରାଇବାରୁ ଟଙ୍କା ଜମା ହୋଇନଥିବା ଜାଣିବାକୁ ପାଇଥିଲେ ।
ସେ ଏ ସମ୍ପର୍କରେ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ । ତେବେ ତାଙ୍କ ଜମା ଖାତାରେ ଟଙ୍କା ଜମା ନ ହୋଇ ଏହି ବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ପଂଚାୟତର ଲକ୍ଷ୍ମଣ ନାୟକଙ୍କ ଆକାଉ ରେ ଟଙ୍କା ଜମା ହୋଇଥିବା ଜଣାପଡିଥିଲା । ଏହା ପରେ ବୌଦ୍ଧ ବିଡ଼ିଓ ୨୦୧୭ ଜୁଲାଇ ୭ ତାରିଖରେ ବୌଦ୍ଧ କାନାରା ବ୍ୟାଙ୍କକୁ ଏ ସମ୍ପର୍କରେ ଚିଠି ଲେଖି ଜଣେଇଥିଲେ । ତେବେ ଘର କାମ ଆରମ୍ଭ କରିଥିବା ହିତାଧିକାରୀ ଲକ୍ଷ୍ମଣ ନାୟକ ଧାର କରଜ କରିଥିବା ଟଙ୍କା ସୁଝି ନ ପାରି ଋଣ ସୁଝିବା ଆଶା ନେଇ ରୋଜଗାର ପାଇଁ ଅନ୍ୟ ଜିଲ୍ଲାକୁ ଦାଦନ ଖଟିିବାକୁ ଯାଇଥିଲେ । ଅନ୍ୟପକ୍ଷରେ ଘର ସଂପୂର୍ଣ୍ଣ ହୋଇନପାରିବାରୁ ମା ଓ ଦୁଇ ପୁଅ ପଲିଥିନ ତଳେ ଆଶ୍ରୟ ନେଉଥିଲେ । ସ୍ୱାମୀର ଅନୁପସ୍ଥିତିରେ ସ୍ତ୍ରୀ ସତ୍ୟଭାମା ନାୟକ ଘର ଟଙ୍କା କିପରି ଆସିବ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଧାଇଁ ଧାଇଁ ନିରାଶ ହୋଇଥିଲେ । ଶେଷରେ ଋଣ ଭାରାକ୍ରାନ୍ତ ହୋଇ ଗତ ଜୁନ ମାସରେ ସତ୍ୟଭାମାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଲକ୍ଷ୍ମଣ ନାୟକ ଏହି ବିପଦପୂର୍ଣ୍ଣ ପଲିଥିନ ଘରେ ନିଜ ପରିବାରକୁ ରଖିବା ସୁରକ୍ଷିତ ନମଣି ନିଜ ଶଶୁର ଘରେ ରହୁଥିବା ଜଣା ପଡ଼ିଛି । ବ୍ଲକ ପ୍ରଶାସନର ସାମାନ୍ୟ ଭୁଲ ପାଇଁ ତାଙ୍କର ପରିବାର ଉଜୁଡି ଯାଇଥିବା କୋହଭରା କଣ୍ଠରେ କହନ୍ତି ଲକ୍ଷ୍ମଣ ନାୟକ । ଜିଲ୍ଲାପାଳ ଏହାର ତଦନ୍ତ କରି ଲକ୍ଷ୍ମଣ ନାୟକଙ୍କ ଆବାସ ଘର ଟଙ୍କା ପାଇବେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।