ବୌଦ୍ଧ,୩/୧୨:- ବୌଦ୍ଧ ବ୍ଲକସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ଆଞ୍ଚଳିକ ସାଧନ କେନ୍ଦ୍ର ତେଲିବନ୍ଧ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ବୌଦ୍ଧ ଆନୁକୂଲ୍ୟରେ ପାଳନ କରାଯାଇଛି । ଶାରୀରିକ ଭିନ୍ନକ୍ଷମ ମାନସିକ ଅନଗ୍ରସର, ଚଳନ ବାଧିତ, ଶ୍ରବଣ ବାଧିତ, ସ୍ୱଳ୍ପଦୃଷ୍ଟି ବାଧିତ, ଦୃଷ୍ଟିବାଧିତ, ମସ୍ତିଷ୍କ ପକ୍ଷାଘାତ ବର୍ଗର ୯୭ଜଣ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରଥମେ ଏକ ସାମୁହିକ ଭ୍ରମଣ ପରେ ମ୍ୟୁଜିକ ଚେୟାର, ଚିତ୍ରାଙ୍କନ ଓ ସଂଗୀତ ପ୍ରତିଯୋଗିତା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ଆୟୋଜିତ ସଭାରେ ଅତିଥିଭାବେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ଓ ତେଲିବନ୍ଧ ସି ଆର ସି ସି ରାଜକୁମାର ପ୍ରଧାନ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ କୌଣସି ଗୋଟିଏ ଅଙ୍ଗର ଅସୁବିଧା ରହିଥିଲେ ମଧ୍ୟ ଅନ୍ୟ ଅଙ୍ଗ ମାଧ୍ୟମରେ ସେମାନେ ସମର୍ଥ, ତାଙ୍କ ମଧ୍ୟରେ ଅନେକ ପ୍ରତିଭା ରହିଅଛି, ସେମାନଙ୍କୁ କୌଣସି ପ୍ରକାର ଅବହେଳା ନକରି ତାଙ୍କର ବିକାଶ କ୍ଷେତ୍ରରେ ସହଯୋଗ କରିବା ସହିତ ଉତ୍ସାହିତ କରିବାକୁ ଆହ୍ୱାନ କରିଥିଲେ । ଗୋଷ୍ଠୀ ସମ୍ବଳ ଶିକ୍ଷକ ଅରୁଣ କୁମାର ମେହେର ଓ ଭାଗ୍ୟବତୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ମ୍ୟୁଜିକ ଚେୟାରରେ ପ୍ରକୃତି ପ୍ରିୟଦର୍ଶିନୀ ପ୍ରଧାନ, ବରୁଣ ବେହେରା ଓ ଗୌରାଙ୍ଗ ସାହୁ, ସଙ୍ଗୀତରେ ଭାଗ୍ୟଶ୍ରୀ ପ୍ରଧାନ, ଅଲିଭା ସାହୁ, ସ୍ମୃତିରାଣୀ ଉର୍ମା, ଚିତ୍ରାଙ୍କନରେ ଶୁଭ୍ରମନ୍ୟୁ ଦାଶ, ଭାଗ୍ୟଶ୍ରୀ ପ୍ରଧାନ ଓ ସୁମିତ ବେହେରାଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଛାସେବୀ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଦେଇଥିଲେ । କୀର୍ତ୍ତନ ସାହୁ, ଶ୍ରୀୟା ପ୍ରଧାନ, ଚୂଡ଼ାମଣି ନାୟକ, ମୁରାରୀ ଭୋଇ ଓ ସବ୍ୟସାଚୀ ପ୍ରମୁଖ ସହଯୋଗ କରିଥିଲେ ।