ଦବ ଦବ ହୋଇ ଜଳୁଛି ଲାଇଟ, ମରାମତି ଦାବି

ବୌଦ୍ଧ/ଜହ୍ନାପଙ୍କ,୨୧/୫- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ବସଷ୍ଟାଣ୍ଡରେ ଲାଗିଥିବା ହାଇମାଷ୍ଟ ଲାଇଟ ଦୀର୍ଘ ଦିନ ହେଲା ଦବ ଦବ ହୋଇ ଜଳୁଥିଲେ ମଧ୍ୟ ଏହାର ମରାମତି ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି । ପଞ୍ଚାୟତକୁ ବିଭିନ୍ନ ପ୍ରକଳ୍ପର ମରାମତି କାର୍ଯ୍ୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଆସୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କୁ ସୁହାଇଲା ଭଳି ପ୍ରକଳ୍ପର ମରାମତି କାର୍ଯ୍ୟ କରୁଥିବା ବେଳେ ଯେଉଁଠି ଆବଶ୍ୟକ ସେଇଠି ଖର୍ଚ୍ଚ କରାଯାଉନାହିଁ । ସୂଚନାଯୋଗ୍ୟ ଯେ ୨୦୧୪-୧୫ ଆର୍ଥିକ ବର୍ଷରେ ସାଂସଦଙ୍କ ଅନୁଦାନରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଜହ୍ନାପଙ୍କ ବସଷ୍ଟାଣ୍ଡଠାରେ ଏହି ହାଇମାଷ୍ଟ ଲାଇଟ ଲଗାଯାଇଥିଲା । ବର୍ଷେରୁ ଉର୍ଦ୍ଧ୍ୱ ହେଲା ଏହା ଦବ ଦବ ହୋଇ ଜଳୁଥିବାରୁ ଲୋକମାନଙ୍କ ଆଖି ପ୍ରତି ବିପଦ ରହିଛି । ତେଣୁ ଏହାକୁ ମରାମତି କରିବାକୁ ସତେତନ ଯୁବ ସମାଜ ଓ ଆଞ୍ଚଳିକ ନାଗରିକ କମିଟି ଦାବି କରିଛନ୍ତି ।

Comments (0)
Add Comment