କୋଭିଡ ସ୍ୱାବ ଟେଷ୍ଟ ନାମରେ ଚାନ୍ଦା ଆଦାୟ, ୨ ଅଟକ

ବୌଦ୍ଧ,୧/୭ – ଛତିଶଗଡକୁ କୌଣସି କାମରେ ଯାଇ ବଉଦ ଥାନା ସରସରା ଗ୍ରାମର ୨ ଜଣ ଯୁବକ ଓ ଜଣେ ୫୨ ବର୍ଷିୟ ମହିଳା ଫେରି ହରଭଙ୍ଗା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ସେମାନଙ୍କ କୋଭିଡ ସ୍ୱାବ ପରୀକ୍ଷା କରାଇ ଦେବାକୁ କହି ୨ ଜଣ ବ୍ୟକ୍ତି ତାଙ୍କୁ ବୌଦ୍ଧଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଗତକାଲି ଆଣିଥିଲେ । କୋଭିଡ୍ ଟେଷ୍ଟ ପାଇଁ ଜଣ ପିଛା ୫ ହଜାର ଟଙ୍କା ଖର୍ଚ୍ଚ ହେବ କହି ସେମାନଙ୍କୁ ଉଭୟ ବ୍ୟକ୍ତି ୧୫୦୦୦ ଟଙ୍କା ଦାବି କରିଥିଲେ । ସେମାନଙ୍କ ଠାରୁ କିଛି ଟଙ୍କା ଅଗ୍ରୀମ ଆକାରରେ ମଧ୍ୟ ନେଇଥିଲେ । ଯେଉଁମାନଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା ସେମାନଙ୍କ ଠାରୁ ସ୍ୱାବ ସଂଗ୍ରହ ପ୍ରାପ୍ତି ସ୍ୱୀକାର ରସିଦ୍ ମଧ୍ୟ ଏମାନେ ନେଇଯାଇଥିଲେ । ରସିଦ୍ ପାଇଁ ଗତକାଲିଠାରୁ ସେମାନେ ଜଗିଥିଲେ ମଧ୍ୟ ଠକମାନେ ସେମାନଙ୍କୁ ରସିଦ୍ ନ ଦେଇ ଟଙ୍କା ମାଗୁଥିଲେ । ଘଟଣାଟି ଡାକ୍ତରଖାନା କର୍ତ୍ତୃପକ୍ଷ ଜାଣିବା ପରେ ବୌଦ୍ଧଥାନାକୁ ଖବର ଦେଇଥିଲେ । ଡାକ୍ତରଖାନା ପରିସରରେ ଥିବା ଉଭୟ ଠକଙ୍କୁ ପୋଲିସ୍ ଥାନାକୁ ନେଇ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସରକାରୀ ହାଇସ୍କୁଲର ଖେଳ ଶିକ୍ଷକ ଅଛନ୍ତି ଓ ଅନ୍ୟଜଣେ ବୁଟୁପାଲିର ବୋଲି ଜଣାପଡିଛି ।

Comments (0)
Add Comment