ଜବତ ଓ କୋର୍ଟ ଚାଲାଣରେ ବନ୍ଦ ହେବନି ଗଞ୍ଜେଇ ଚୋରାଚାଲାଣ

ବୌଦ୍ଧ: ପ୍ରତ୍ୟେକଦିନ ବୌଦ୍ଧଜିଲ୍ଲାରୁ ଜିଲ୍ଲା ଓ ରାଜ୍ୟବାହାରକୁ ଗଞ୍ଜେଇ ଚୋରାଚାଲାଣ ଚାଲିଛି । ପୋଲିସ ଓ ଅବକାରୀ ବିଭାଗ ମଝିରେ ମଝିରେ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବାସହ କିଛି କିଛି ଗଞ୍ଜେଇ ଜବତ କରୁଥିବା ଦେଖିବାକୁ ମିଳୁଛି । ପୋଲିସ ଓ ଅବକାରୀ ବିଭାଗକୁ ଚକମାଦେଇ ଭିନ୍ନଭିନ୍ନ ଢଙ୍ଗରେ ଗଞ୍ଜେଇ ଚୋରାଚାଲାଣ କରାଯାଉଛି । କେହି ଯଦି ପୋଲିସ କିମ୍ବା ଅବକାରୀ ବିଭାଗକୁ ଚୋରାଚାଲାଣ ସଂପର୍କୀତ ସୂଚନା ଦେଲା ତେବେ କିଛି ଧରାପଡୁଛନ୍ତି ନଚେତ ଚକମା ଦେଇ ଖସି ଯିବାରେ ସଫଳ ହେଉଛନ୍ତି ।


ଲକ୍‌ଡାଉନ ସମୟରେ ସବୁସ୍ଥାନରେ ପୋଲିସର ଚେକ୍‌ପୋଷ୍ଟ ଖୋଲାଯାଇ ତନଖି ଚାଲିଛି । ତଥାପି ଏଭଳି ସମୟରେ ମଧ୍ୟ ଗଞ୍ଜେଇକୁ ରାଜ୍ୟ ବାହାରକୁ ଚାଲାଣ କରିବାର ସାହାସ ଜୁଟାଇପାରୁଛନ୍ତି ମାଫିଆ । ଏହା ଆଶ୍ଚର୍ଯ୍ୟର କଥା । ମନମୁଣ୍ଡା ପୁଲିସ ପିଆଜ ବୋଝେଇ ଟ୍ରକରୁ ୩୫ ବସ୍ତା ଗଞ୍ଜେଇ ଜବତ କରିବା ଘଟଣା ଏବେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି । ଟ୍ରକର ଡ୍ରାଇଭର ସମେତ ଧରାପଡିଥିବା ମଧ୍ୟପ୍ରଦେଶ ରାଜ୍ୟର ଅନ୍ୟ ୨ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଟ୍ରକରୁ ପ୍ରାୟ ୧୧ କ୍ୱିଣ୍ଟାଲ ଓଜନର ଗଞ୍ଜେଇ ମଧ୍ୟ ଜବତ ହୋଇଛି ।
ବୌଦ୍ଧ ଜିଲ୍ଲାପାଇଁ ଏଭଳି ଗଞ୍ଜେଇ ଧରାପଡିବା ନିତିଦିନିଆ ଘଟଣା ସାଜିଛି । ପ୍ରତିବର୍ଷ ଶହଶହ ଚୋରାଚାଲାଣକାରୀ ଧରାପଡି ଜେଲ ଯାଉଛନ୍ତି । ମାତ୍ର ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ହେଲା ଯେ ଚାଲାଣକାରୀ ମାନଙ୍କୁ ଗଞ୍ଜେଇ ଯୋଗାଉଥିବା ଲୋକ ପ୍ରାୟତଃ ଗିରଫ ହେଉନାହାନ୍ତି । ପୋଲିସ କିମ୍ବା ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ କେବଳ ସିଜରଲିଷ୍ଟ ତିଆରି ମୁଦାଲାଙ୍କୁ କୋର୍ଟ ଚାଲାଣରେ ସୀମିତ । ଗଞ୍ଜେଇର ଉତ୍ସ କୁହାଯାଉଥିବା ଯୋଗାଣକାରୀମାନଙ୍କ ନିକଟ ପର୍ଯ୍ୟନ୍ତ ଏମାନଙ୍କର ତଦନ୍ତ ଯାଏନାହିଁ । ଫଳରେ ଗଞ୍ଜେଇ ଚାଷ ଚାଲାଣ ଆଦି ଏତେ ମାମଲା ହେବାପରେ ବି କମିବାର ନାଁ ଧରୁନାହିଁ । ପୋଲିସ ଓ ଅବକାରୀସହ ଗଞ୍ଜେଇ ଚାଷୀ, ମହଜୁଦକାରୀ, ମଧ୍ୟସ୍ତି ଓ ଚାଲାଣକାରୀଙ୍କ ମଧୁର ନିବିଡ ସଂପର୍କ ରହିଥିବା ଅଭିଯୋଗ ହୋଇଥାଏ । ସେ ଅଭିଯୋଗ ସତ ହେଉ କି ମିଛ ହେଉ ମାତ୍ର ତଦନ୍ତକାରୀ ଅଧିକାରୀମାନେ ଗିରଫ ହୋଇଥିବା ମୁଦାଲାଙ୍କର ତଥ୍ୟ ଅନୁସାରେ ଗଞ୍ଜେଇର ଉତ୍ସ ପର୍ଯ୍ୟନ୍ତ କାହିଁକି ଯାଉନାହାନ୍ତି ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏ ଦିଗରେ ଉଭୟ ପୋଲିସ ଅଧୀକ୍ଷକ ଓ ଅବକାରୀ ଅଧୀକ୍ଷକମାନେ ଯତ୍ନବାନ ହେଲା ଗଞ୍ଜେଇ ଚାଷ, ବ୍ୟବସାୟ ଓ ଚୋରାଚାଲାଣରେ ରୋକ ଲାଗିପାରିବ ଏହା ନିଃସନ୍ଦେହ ।

Comments (0)
Add Comment