୩ ବର୍ଷହେଲା ଅସଂପୂର୍ଣ୍ଣ ଦେବଗଡ ଶବସତ୍କାର ଗୃହ, ପାଣିରେ ପଡିଲା ୨ଲକ୍ଷ ଟଙ୍କା

ହରଭଙ୍ଗା,୨୧/୬- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାମଣ୍ଡା ପଂଚାୟତ ଦେବଗଡ ଗ୍ରାମରେ ଶବସତ୍କାର ଗୃହ ନିର୍ମାଣ ପାଇଁଁ ୨୦୧୮-୧୯ ଆର୍ଥିକ ବର୍ଷରେ ସିଏଫ୍ସି ଫଣ୍ଡରୁ ୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ଆଜକୁ ନିର୍ମାଣ ଆରମ୍ଭ ହେବାର ତିନିବର୍ଷ ବିତିଯାଇଥିଲେହେଁ ଶବସକ୍ରାର ଗୃହଟି ସଂପୂର୍ଣ୍ଣ ହୋଇପାରିନାହିଁ । ଏପଟେ ଗୃହ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା କାରଣରୁ ତାହା ମଧ୍ୟ ଭାଙ୍ଗିରୁଜି ଗଲାଣି ବୋଲି ଅଭିଯୋଗ ହୋଇଛି । ଯଦି ସଂପୂର୍ଣ୍ଣ କାର୍ଯ୍ୟପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିଲା ତେବେ ଏଥିପାଇଁ ପଦକ୍ଷେପ ନିଆନଯାଇ ସରକାର କା ମାଲ୍‌ ,ଦରିଆମେ ଡାଲ୍‌ ଭଳି ୨ଲକ୍ଷ ଟଙ୍କା ପାଣିରେ ପଡିଲା କହିଲେ ଭୁଲ୍‌ ହେବନାହିଁ ।

ଉପଯୁକ୍ତ ଯୋଜନା ଓ ତାହାର ରୂପାୟନ ପାଇଁ ପଞ୍ଚାୟତ ଓ ପ୍ରଶାସନ ଉଭୟ ଉତ୍ତରଦାୟୀ ଅଟନ୍ତି । ଅପରପକ୍ଷରେ ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରା ଯୋଗୁଁ ସରକାରଙ୍କ ଏଭଳି ଯୋଜନା ଫେଲ୍‌ ମାରୁଥିବା ମଧ୍ୟ ଅଭିଯୋଗ ହୋଇଆସୁଛି । ତେଣୁ ଜିଲ୍ଲାପ୍ରଶାସନ ଏଥିପ୍ରତିଦୃଷ୍ଟି ଦେବାସହ ଶବ ସତ୍କାର ଗୃହକୁ ତୁରନ୍ତ ସଂପୂର୍ଣ୍ଣ କରିବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Comments (0)
Add Comment