ରଖିଲେ ନାହିଁ କ୍ଷୀର ଫେରାଇଦେଲା ସୋସାଇଟି

ବୌଦ୍ଧ/ହରଭଙ୍ଗା,୬/୫- କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଫଳରେ କେତେକ ସ୍ଥାନରେ ସାଧାରଣ ଖଟିଖିଆଙ୍କ ଉପରେ ଏହାର ପ୍ରଭାବ ପଡିଥିବା ଦେଖିବାକୁ ମିଳୁଛି । ହରଭଙ୍ଗାବ୍ଲକରେ ଓମ୍‌ଫେଡ୍‌ ପକ୍ଷରୁ ବର୍ତ୍ତମାନ ରାମଗଡ, ଧଳପୁର, ଶାକୁଶିଙ୍ଗା, ଲୁଣିବାହାଲ, ସାଂପୋଚ, ମଙ୍ଗଳପୁର, କେଳାକଟା, ବାମଣ୍ଡା, ବୀରନସିଂହପୁର ଠାରେ ସୋସାଇଟି ପକ୍ଷରୁ ଗ୍ରାମାଞ୍ଚଳ ଚାଷୀଙ୍କ ଠାରୁ କ୍ଷୀର କିଣାଯାଉଛି । କିନ୍ତୁ ଏକମାସରୁ ଉର୍ଦ୍ଧ୍ୱଦିନ ହେଲା ରାମଗଡ, ଧଳପୁର, ସାକୁଶିଙ୍ଗା ଆଦି ସୋସାଇଟିରୁ ଚାଷୀମାନେ କ୍ଷୀର ବିକ୍ରି କରିଥିଲେ ମଧ୍ୟ ଏଯାବତ୍‌ ଟଙ୍କା ପାଇନଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବର୍ତ୍ତମାନ କରୋନା ମହାମାରୀ ସମୟରେ ଚାଷୀମାନଙ୍କୁ ଆର୍ଥିକ ଚିନ୍ତା ମାଡିବସିଛି । ଏପଟେ ଚାଷ ଉପରେ ନିର୍ଭର କରୁଥିବା କେତକ ଚାଷୀମାନେ ଆଜି ଲୁଣିବାହାଲ ଦୁଗ୍ଧ ଶିତଳକରଣ ଭଣ୍ଡାରକୁ ନିଜନିଜ କ୍ଷୀର ବିକ୍ରି କରିବାପାଇଁ ନେଇଥିଲେ ମଧ୍ୟ ଉକ୍ତ ସୋସାଇଟିରେ କ୍ଷୀର ନରଖିବାରୁ ଫେରି ଆସିଥିବା ନେଇ ଚାଷୀ ବିଶ୍ରବା ଗିରି, ଅରବିନ୍ଦ ଦେହୁରୀ, ଶୁଭ୍ରାଂଶୁ ଗିରି ଅଭିଯୋଗ କରିଥିବା ଜଣାପଡିଛି । ତେଣୁ ବର୍ତ୍ତର୍ମାନ ସମୟରେ ଚାଷୀମାନଙ୍କଠୁ ଓମ୍‌ଫେଡ୍‌ ସଂସ୍ଥା କ୍ଷୀର ନକିଣିବା ନେଇ କେତେ ଠିକ୍‌ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଦାୟିତ୍ୱରେ ଥିବା ଓମ୍‌ଫେଡ୍‌ର ହରଭଙ୍ଗାବ୍ଲକ ସୁପରଭାଇଜର ଅମୁଲ୍ୟ ଓଝାଙ୍କୁ ପଚାରିବାରୁ କହିଥିଲେ ଯେ ଲୁଣିବାହାଲ ସୋସାଇଟି ଚାଷି କ୍ଷୀର ଆଣି ଫେରିଥିବା ଖବର ମୋପାଖରେ ନାହିଁ, କିନ୍ତୁ ଆମେ ସବୁ ଚାଷୀମାନଙ୍କଠୁ ସୋସାଇଟି ପକ୍ଷରୁ କ୍ଷୀର କିଣିବାପାଇଁ ବ୍ୟବସ୍ଥ।। କରିଛୁ । ମୁଁ ଏ ସଂପର୍କରେ ଉକ୍ତ ସୋସାଇଟିର ସଂପାଦକଙ୍କୁ ପଚାରିବୁଝିବି ଏବଂ ଚାଷୀମାନେ ତାଙ୍କର ବକେୟା ଟଙ୍କା ପାଇନଥିବା କାରଣ ବ୍ୟାଙ୍କ ସମସ୍ୟା ଟିକେ ରହିଥିବାରୁ ଆମେ କିଛି ଚାଷୀଙ୍କୁ ଟଙ୍କା ଦେଇନୁ କିନ୍ତୁ ଖୁବ୍‌ଶୀଘ୍ର ଟଙ୍କା ପାଇନଥିବା ଚାଷୀମାନଙ୍କ ବକେୟା ଟଙ୍କାକୁ ନିଜ ନିଜ ଆକାଉଣ୍ଟରେ ଜମାକରିଦେବୁ ବୋଲି କହିଥିଲେ ।

Comments (0)
Add Comment