ବୌଦ୍ଧ/ଜହ୍ନ ।ପଙ୍କ,୨୩/୨:- ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଢୀ ମନ୍ଦିର ବିଶ୍ୱ ପ୍ରସିଦ୍ଧ । ଏହି ମନ୍ଦିରଦ୍ୱୟ ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଐତିହାସିକମାନେ କୁହନ୍ତି । ଏହାର ସ୍ୱତନ୍ତ୍ରତା ହେଉଛି ଗୋଟିଏ ମଣ୍ଡପରେ ବିରାଜମାନ କରିଛନ୍ତି ହର(ଶିବ) ଓ ହରି(ବିଷ୍ଣୁ) । ଏଭଳି ଯମଜ ମନ୍ଦିର ପୃଥିବୀର କୌଣସି ଜାଗାରେ ଦେଖିବାକୁ ମିଳେ ନାହିଁ ବୋଲି ଐତିହାସିକମାନେ ମତବ୍ୟକ୍ତ କରନ୍ତି । ଉଭୟ ମନ୍ଦିରର କାରୁକାର୍ଯ୍ୟ ସମାନ ଥିବାବେଳେ ହରଙ୍କ ମନ୍ଦିର ଚୂଡ଼ାରେ ଶିବଲିଙ୍ଗ ଥିବା ବେଳେ ହରିଙ୍କ ମନ୍ଦିରଚୂଡ଼ାରେ ଚକ୍ର ବିଦ୍ୟମାନ । ତେବେ ମନ୍ଦିରର ସାମଗ୍ରୀକ ଉନ୍ନତି ପାଇଁ ଅଞ୍ଚଳବାସୀଙ୍କ ଉଦ୍ୟମରେ ଗତବର୍ଷ ଆରମ୍ଭ ହୋଇଛି ଗନ୍ଧରାଢୀ ଲୋକକଳା ମହୋତ୍ସବ । ଗତବର୍ଷ ମହୋତ୍ସବ ପୂର୍ବରୁ ଏହାର ଆଲୋକୀକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଚଳିତବର୍ଷ ମହୋତ୍ସବ ୫ ଦିନ ଚାଲିବାକୁ ଥିବାବେଳେ ମହୋତ୍ସବ କମିଟି ପକ୍ଷରୁ ଏହାର ଉନ୍ନତିକରଣ ଦିଗରେ ପ୍ରୟାସ ଆରମ୍ଭ ଜାରି ରହିଛି । ବୁଧବାର ସନ୍ଧ୍ୟାରେ ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଉଦଘାଟିତ ହୋଇଛି । ସକାଳୁ ସିଦେ୍ଧଶ୍ୱର, ନୀଳମାଧବ, ପଶ୍ଚିମ ସୋମନାଥ ଓ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଅଖଣ୍ଡ ଦୀପ ଜଳାଯାଇଥିଲା । ସନ୍ଧ୍ୟାରେ ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ,୬ ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟ । କଳ୍ପନାରାଣୀ ସାହୁ,୫ ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟ । ଉର୍ମିଳା ଝାଙ୍କର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ହାଡ଼ିବନ୍ଧୁ ମହାଖୁଡ଼ ଯୋଗଦେଇ ଐତିହାସିକ ଗନ୍ଧରାଢୀ ପୀଠର ଐତିହ୍ୟ, ସଂସ୍କୃତି, ପରମ୍ପରା ଉପରେ ବକ୍ତବ୍ୟ ରଖିଥିଲେ । ସଭାପତି ଅଧିବକ୍ତା ଅଶୋକ କୁମାର ସାହୁ ସଭାପତିତ୍ୱ କରିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ବସନ୍ତ କୁମାର ସାହୁ । ଲୋକକଳା ମହୋତ୍ସବ କମିଟିର ସମ୍ପାଦକ ଶମ୍ଭୁ ଗିରି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କମିଟି ଉପସଭାପତି ମନରଞ୍ଜନ ପୁରୋହିତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବସନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ସହ ସମ୍ପାଦକ ସ୍ୱାଧୀନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗନ୍ଧରାଢୀ କଲେଜ ଛାତ୍ରୀମାନେ ଉଦଘାଟନୀ ସଙ୍ଗୀତ ଗାନ କରିଥିଲେ । ଏହାପରେ ମଞ୍ଚାସୀନ ଅତିଥିମାନଙ୍କୁ ମେମୋଣ୍ଟା ଦେଇ ସମ୍ମାନୀତ କରାଯାଇଥିଲା । ସଭାପରେ ବିଳମ୍ବିତ ରାତ୍ରୀପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ ଦଳ ଯଥା ଖୋର୍ଦ୍ଧାର ଘୋଡା ନାଚ, ବୌଦ୍ଧର ଗେହ୍ଲାମାଁ କଳା ନିକେତନ, ବାରପୁଦୁଗର କଳାଞ୍ଜଳି ଅନୁଷ୍ଠାନ, ମହିଳା ସଂକୀର୍ତ୍ତନ୍ୟ ଦଳର କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ନିରଞ୍ଜନ ଗିରି, ମୋହନ କୁମାର ସାହୁ, ସ୍ୱାଧୀନ କୁମାର ପରିଡା, ଜ୍ଞାନରଞ୍ଜନ ପଟ୍ଟନାୟକ, ମନୋଜ ଗୁରୁ, ସପ୍ନେଶ୍ୱର ମହାନ୍ତି, କୃତ୍ତିବାସ ପଲିଆ, ଶବର ସେଠୀ, ସନ୍ତୋଷ କୁମାର କର୍ଣ୍ଣ, ବିଦ୍ୟାଧର ସ୍ୱାଇଁ, ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ସୁଧାଂଶୁ ଶେଖର ମିଶ୍ର, ପ୍ରକାଶ ବାରିକ ଏବଂ ଜଗତି ଗ୍ରାମବାସୀ ସହଯୋଗ କରିଥିଲେ ।