ଜହ୍ନାପଙ୍କ ଗ୍ରାମକୁ ସପ୍ତାହେ ହେଲା ଜଳ ଯୋଗାଣ ବନ୍ଦ, ପିଇବାପାଣି ପାଇଁ ଡହକ ବିକଳ

ଜହ୍ନାପଙ୍କ,୫/୭- ରାଜ୍ୟ ସରକାର ସ୍ୱଚ୍ଛ ପାନୀୟ ଜଳ ଯୋଗାଣପାଇଁ ସ୍ୱଜଳ ଧାରା, ଜଳଧାରା, ବସୁଧା ଆଦି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି । ହେଲେ କେଉଁଠି ଏହି ପ୍ରକଳ୍ପ ସପ୍ତାହେ ଚାଲିଲେ ସପ୍ତାହେ ବନ୍ଦ ରହୁଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମରେ । ସୂଚନାଯୋଗ୍ୟ ଯେ ୧୪୦୦ ଲୋକସଂଖ୍ୟା ବିଶିଷ୍ଟ ଏହି ଗ୍ରାମକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ୨୦୦୪ରେ ପ୍ରକଳ୍ପ ମଞ୍ଜୁର ହୋଇଥିଲା । ୨୦୦୪ରୁ ପର୍ଯ୍ୟାୟକ୍ରମେ ମରାମତି ଓ ଉନ୍ନତିକରଣ ନିମନ୍ତେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଗ୍ରାମବାସୀ କେବେବି ନିୟମିତ ଭାବେ ୧୫ ଦିନ ଏହି ପ୍ରକଳ୍ପରୁ ପାଣି ପାଇନାହାନ୍ତି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଫଳରେ ଏହି ପ୍ରକଳ୍ପ ବର୍ଷରେ ଅଧିକାଂଶ ସମୟ ବନ୍ଦ ରହୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଠିକାଦାର ମନଇଚ୍ଛା ଷ୍ଟାଣ୍ଡପୋଷ୍ଟ ତଥା ନିମ୍ନମାନର ସାମଗ୍ରୀ ଉପଯୋଗ କରିବା ଦ୍ୱାରା ଏହା କମ ଦିନରେ ଭାଙ୍ଗି ନଷ୍ଟ ହୋଇଯାଉଛି । ଅପରପକ୍ଷେ ଦରକାରୀ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ଦେଇନଥିବାରୁ ଏହା ଲୋକଙ୍କ କାର୍ଯ୍ୟରେ ଲାଗୁନାହିଁ ।

୨୦୦୪ ମସିହାରେ ଘରକୁ ପାଇପ ସଂଯୋଗ ପାଇଁ ହଜାରେ ଟଙ୍କା ଲେଖାଏଁ କମିଟିରେ ଜମା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ସଂଯୋଗ ଦିଆ ଯାଇନାହିଁ । ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ତେବେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ନାମରେ ଏକ ଖୋଲା କୂଅରୁ ଜଳ ଯୋଗାଇବା ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଜ୍ଞାତସାରରେ ହେଉଥିବାରୁ ତାଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ବାରମ୍ବାର ଖରାପ ହେବା ଓ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରିବା ଏହା ଠିକାଦାର ପୋଷା ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ୭ ଦିନ ହେଲା ଏହି ପ୍ରକଳ୍ପ ବନ୍ଦଥିବାରୁ ଏସମ୍ପର୍କରେ କନିଷ୍ଠଯନ୍ତ୍ରୀ ସନ୍ତୋଷ ବେହେରାଙ୍କୁ ଯୋଗାଯୋଗ କରିବାରୁ କିଛି ଗ୍ରାମବାସୀ ପ୍ରକଳ୍ପ ନଚଳାଇବାକୁ ମନାକରିବାରୁ ପ୍ରକଳ୍ପ ବନ୍ଦ ରହିଛି । ଗ୍ରାମବାସୀ ଏହାର ସମାଧାନ ନକଲେ ପ୍ରକଳ୍ପ ଚାଲିବ ନାହିଁ । ଏଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେଇ ପ୍ରକଳ୍ପ ଚାଲିବା ଦିଗରେ ଆବଶ୍ୟକ ପଦ କ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ।

Comments (0)
Add Comment