ବୌଦ୍ଧ/ଜହ୍ନାପଙ୍କ,୨୬/୬- ମା କୁ ସମ୍ମାନ ଓ ଗାଁକୁ କାମ ପାଥେୟ କରି ରାଜ୍ୟ ସରକାର ମମତା ଯୋଜନାଠାରୁ ଆରମ୍ଭକରି ହରିଶ୍ଚନ୍ଦ୍ର ଭଳି ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହିସବୁ ଯୋଜନା ଭୂମିହୀନ, ଜମିହୀନ ଓ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ପ୍ରକୃତ ହିତାଧିକାରୀଙ୍କ ନିକଟରେ ଠିକ ଭାବେ ପହଞ୍ଚିପାରିବ ସେଥିପାଇଁ ପଂଚାୟତସ୍ତରରୁ ଆରମ୍ଭକରି ବ୍ଳକଯାଏଁ ସବୁ ଠାରେ କର୍ମଚାରୀ ନିୟୋଜିତ କରାଯାଇଛି । ହେଲେ ବୌଦ୍ଧବ୍ଳକ ତେଲିବନ୍ଧ ପଂଚାୟତ ରାମପୁରର ଏକ ପଡ଼ିଆରେ ଖଜୁରୀପତ୍ର କୁଡ଼ିଆରେ ରହୁଥିବା ପୂର୍ଣ୍ଣବାସୀ ଦାସ(୬୮)ଙ୍କୁ ଦେଖିଲେ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ଫେଲ ମାରିଥିବା ସ୍ପଷ୍ଟ ପ୍ରମାଣିତ ହୁଏ । ୪୨ ବର୍ଷ ତଳେ ଶ୍ରୀମତୀ ଦାସ ବଘିଅପଡା ଅଞ୍ଚଳ ବିରିଗଡ଼ରେ ବିବାହ କରିଥିଲେ । ସ୍ୱାମୀ ମୃତ୍ୟୁ ପରେ ୨୨ ବର୍ଷ ହେଲା ଏହି ପଡ଼ିଆରେ ଖଜୁରୀପତ୍ର କୁଡ଼ିଆରେ ରହି ଆସୁଛନ୍ତି । ପଂଚାୟତରୁ ୫ କିଲୋ ଚାଉଳ ଓ ୫୦୦ ଟଙ୍କା ଭତ୍ତା ପାଉଥିବା ବେଳେ ମାସଟିଏ ଚଳିବା କଷ୍ଟକର ହେଉଥିବାରୁ ବାକିଦି ଭିକ୍ଷା ବୃତ୍ତିକରି ପେଟ ପୋଷୁଥିବା ସେ କୁହନ୍ତି । ଗୋଟିଏପଟେ ଜମିବାଡ଼ି ବା ଘରବାରି ନଥିବାରୁ ସରକାରୀ ଜମିରେ ଏହି କୁଡ଼ିଆରେ ଜରିଖଣ୍ଡେ ଟାଣି ରହୁଥିବା କୁହନ୍ତି । ଘରଡିହ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭକରି ବ୍ଳକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କାହାର ଶୁଭଦୃଷ୍ଟି ପଡ଼ିନାହିଁ । ଫଳରେ ସେ ଭାଗ୍ୟକୁ ଆଦରି ସେଠାରେ ପଡି ରହିଛନ୍ତି । ବର୍ତ୍ତମାନ ବର୍ଷାଋତୁ ଚାଲିଥିବା ବେଳେ ତାଙ୍କର ଚିନ୍ତା ଦୁଇ ଗୁଣ ବଢିଯାଇଛି । ପଂଚାୟତରେ ଅନେକ ଧନୀ ଲୋକ ଘରପାଇ ଗୋଚର ଜମିରେ ଘରକରି ରହୁଥିବା ବେଳେ ଏଭଳି ଜଣେ ବୃଦ୍ଧାଙ୍କୁ ସରକାରଙ୍କ ଯୋଜନାରେ ସାମିଲ କରାନଯିବା ପରିତାପର ବିଷୟ ବୋଲି ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।