କଣ୍ଟାମାଳ: ନକଲି ପ୍ରେସ ଗାଡି ଓ ନକଲି ନମ୍ବରରେ ଗଞ୍ଜେଇ ଚାଲାଣ,୨୪ ଘଣ୍ଟା ପରେ ବି ପୋଲିସ ପଞ୍ଝାରୁ ଖସିଥିବା ଆସାମୀର ମିଳୁନି ପତ୍ତା

କଣ୍ଟାମାଳ,୨୮/୫ – ନାଲିରଙ୍ଗର ଟ୍ରାଭେରା ଗାଡି ସ୍ପଷ୍ଟ ଲେଖା ଅଛି ଦୂରଦର୍ଶନ ଓଡିଆ, କରୋନା କଟକଣାକୁ ନେଇ ପୋଲିସ ବେଶ ସକ୍ରିୟ ଥିବାବେଳେ ପୋଲିସକୁ ଚକମାଦେଇ ପାରହୋଇ ଯାଉଥିବା ଗାଡିଟି ଗତ ୨୬ ତାରିଖ ରାତିରେ କଣ୍ଟାମାଳ ପୋଲିସ ହାତରେ ଧରା ପଡିଥିଲା । ତଲାସି ପରେ ଗାଡିରୁ ମିଳିଥିଲା ୨୦ ପ୍ୟାକେଟ ଚୋରା ଗଞ୍ଜେଇ ଯାହାରି ଓଜନ ଥିଲା ୨୦ କେଜି । ଗାଡିରେ ଦୁଇରୁ ଅଧିକ ଲୋକଥିବ ବେଳେ ପୋଲିସ ଗାଡିର ଡ୍ରାଇଭରକୁ ଧରିବାରେ ସଫଳ ହୋଇପାରିଥିଲା ହେଲେ ଆସାମୀ ମଧ୍ୟ କୌଶଳକ୍ରମେ ୨୭ ତାରିଖ ବେଳାରେ ପୋଲିସ ପଞ୍ଝାରୁ ଖସି ପଳାଇବାରେ ସକ୍ଷମ ହୋଇଥିବା ହେତୁ ପୋଲିସର ମୁଣ୍ଡବିନ୍ଧା ବଢିଯାଇଛି । ଗତକାଲି ରାତିତମାମ ପୋଲିସର ଦୁଇ ଗୋଟି ଟିମ୍‌ ଛାନଭିନ୍‌ ଚଳାଇଥିଲେ ହେଁ ଆସାମୀର କୌଣସି ଖୋଜଖବର ପାଇନଥିବା ଜଣାଯାଇଛି । ଆଜି କଣ୍ଟାମାଳ ପୋଲିସ ଦେଇଥିବା ସୂଚନା ପ୍ରକାରେ ଏହି ଘଟଣାକୁ ନେଇ କଣ୍ଟାମାଳ ଥାନା କେଶ ନଂ୭୦/୨୧ ୟୁଏସ(୨୦(ବି) ଏନଡିପିଏସ ଆକ୍ଟ ଅନୁଯାୟୀ ଆସାମୀ ପୁରୀ ନିମାପଡାର ବିଭୁତିଭୂଷଣ ନାଏକଙ୍କ ନାଁରେ ମକଦ୍ଦମା ଋଜ୍ଜୁ କରାଯାଇଛି ହେଲେ ହାତରେ ଆସାମୀ ନଥିବାରୁ କୋର୍ଟ ଚାଲାଣ ହୋଇପାରିନଥିବା ଜଣାଯାଇଛି ।

ଏହି ପ୍ରେସ ଲେଖା ଥିବା ଗାଡିଟି ବିଭିନ୍ନ ସମୟରେ ଆସି ଖୁଣ୍ଟିଗୋରା ଅଞ୍ଚଳରେ ବୁଲୁଥିବା ନେଇ ସ୍ଥାନୀୟ ଲୋକେ କହୁଥିବା ବେଳେ ନକଲି ନମ୍ବର ଗାଡିରେ ଗଞ୍ଜେଇ ଅବାଧରେ ନେଉଥିଲେହେଁ ବୌଦ୍ଧ, ନୟାଗଡ ଓ ଖୋର୍ଦ୍ଧା ପୋଲିସ କୌଣସି ସୁରାକ ମଧ୍ୟ ପାଇପାରିନଥିବା ସଭିଙ୍କୁ ଯେତିକି ଆଶ୍ଚଯ୍ୟ କରୁଛି ତାଠାରୁ ବେଶ କୌତୁହଳ ସୃଷ୍ଟି କରିଛି ଗାଡିଟିର ନମ୍ବର । ରାଜ୍ୟ ସରକାରଙ୍କ ପରିବହନ ବିଭାଗର ସାଇଟ ବାହାନ, ଓଡିଶାର ସୂଚନା ପ୍ରକାରେ ଗାଡିରେ ଲେଖା ହୋଇଥିବା ନଂ ଓଆର ୦୨-୨୬୪୩ଟି କୌଣସି ଚାରିଚକିଆର ନୁହଁ ବରଂ ଏହା ଏକ ୨୯ ବର୍ଷର ପୁରୁଣା ଦୁଇଚକିଆ କାଇନେଟିକ ଲୁନା ଟିଏଫଆର ବୋଲି ଜଣାପଡିବା ପରେ ସାଧାରଣରେ ବେଶ କୌତୁହଳ ସୃଷ୍ଟି କରିଛି । ପ୍ରେସ ଭଳି ଏକ ସମ୍ବେଦନଶୀଳ ସଙ୍କେତ ବ୍ୟବହାର କରି ଗଞ୍ଜେଇ ପାର କରୁଥିବା ଆସାମୀକୁ ଧରିବା ପରେ ପୋଲିସ ତାକୁ ହାଜତ ଭିତରେ ନରଖି ଜଣେ ସାଧାରଣ ବ୍ୟକ୍ତି ଭଳି ଆଚରଣ ପ୍ରଦର୍ଶନ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିବା ବେଳେ ଏହି ଘଟଣାକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ତଦନ୍ତ କରି ପଦକ୍ଷେପ ନେବାକୁ ଦାବୀ ହେଉଛି ।

Comments (0)
Add Comment