ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା : ରୋଗରେ ଯନ୍ତ୍ରଣା ଭୋଗୁଛନ୍ତି ୩୦ ବର୍ଷର ହିମାଂଶୁ, ସରକାରୀ ଯୋଜନା ଅପହଞ୍ଚ

କଣ୍ଟାମାଳ,୧୫/୭ – ବୌଦ୍ଧ ଜିଲ୍ଲା କଣ୍ଟାମାଳବ୍ଳକ ପଲସାଗୋରା ଗ୍ରାମ ପଞ୍ଚାୟତର ଝିକେରପାଲି ଗାଁର ହିମାଂଶୁ ବାରଲକ (୩୦ ବର୍ଷ) ହଠାତ୍‌ ଗଛରୁ ଖସିପଡି ମେରୁଦଣ୍ଡ ଜନିତ ଆଘାତରେ ପୀଡିତ ହୋଇ ୧୫ ମାସ ହେଲା ଖଟିଆରେ ପଡିରହି ଭାଗ୍ୟ ଓ ଭଗବାନଙ୍କୁ ନିନ୍ଦି ସରକାରୀ ସହାୟତାକୁ ଚାହିଁ ରହିଥିବା ଦେଖିବାକୁ ମିଳିଛି । ଦାରିଦ୍ୟ୍ର ସୀମାରେଖା ତଳେ ବାସ କରୁଥିବା ହିମାଂଶୁ ଗଛରୁ ପଡି ଗଭୀରଭାବେ ଆଘାତ ପାଇବାପରେ ବଡ ଭାଇ ଋଣକରି ପ୍ରଥମେ ବୁର୍ଲା, ବରଗଡ ଏବଂ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ଭୂବନେଶ୍ୱରକୁ ନେଇ ଚିକିତ୍ସା କରିଥିଲେ ହେଁ କୌଣସି ସୁଫଳ ପାଇପାରିନଥିଲେ । ରାଜ୍ୟ ବାହାରକୁ ନେଇ ଚିକିତ୍ସା କଲେ ହୁଏତ ସଫଳତା ମିଳିବ ବୋଲି ଡାକ୍ତର କହୁଥିଲେ ହେଁ ଅର୍ଥର ଅଭାବ ସହିତ କରୋନା କଟକଣା ହିମାଂଶୁକୁ ଭଲ କରିବାରେ ପ୍ରତିବନ୍ଧକ ସାଜିଥିଲା । ଇତି ମଧ୍ୟରେ ସୁଧାଂଶୁ ଖଟିଆରେ ପଡି ପଡି ପିଠି ଓ ପିଚାରେ ଘା ହୋଇ ବେଶ କଷ୍ଟ ପାଉଥିବା ବେଳେ ନିଜ ପତ୍ନୀ ଓ ପୁଅଟିର ମୁହଁ ଦେଖିଦିନ କାଟୁଥିଲେହେଁ ସେମାନଙ୍କ ମୁହଁକୁ ଆହାର ମୁଠାଏ ଦେବା ତାଙ୍କ ପାଇଁ ବେଶ କଷ୍ଟକର ହୋଇପଡିଥିବା ଜଣାପଡିଛି । ପୂର୍ବରୁ ବାପା ନାଁରେ ରହିଥିବା ଅନ୍ତୋଦୟ କାର୍ଡ ଖଣ୍ଡିକ ବଡଭାଇ ନାଁରେ ରହିଥିବା ବେଳେ ସେହି କାର୍ଡରୁ ମିଳୁଥିବା ଚାଉଳରେ ଦୁଇଟି ପରିବାରର ୮ ପ୍ରାଣୀ କୁଟୁମ୍ବ ସେମାନଙ୍କ ତେଲ ଲୁଣର ସଂସାରକୁ କିଭଳି ଚଳାଉଛନ୍ତି ତାହା ପ୍ରତ୍ୟକ୍ଷ ଅନୁଭବୀଙ୍କ ବ୍ୟତୀତ ହୁଏତ ଅନ୍ୟ କେହି ଜାଣିପାରିବେନିି । ହିମାଂଶୁ ବିବାହ କରିବା ପରେ ନିଜ ଭାଇ ଠାରୁ ଅଲଗା ହୋଇ ଯାଇଥିବାରୁ ଅନ୍ତଦୋୟ କାର୍ଡର ସୁବିଧା ତାଙ୍କ ପରିବାର ପାଇଁ ସହାୟକ ହୋଇ ପାରୁନଥିବା ହେତୁ ନିଜ ପରିବାର ପାଇଁ ସ୍ୱତନ୍ତ୍ର କାର୍ଡଟିଏ ଜରୁରୀ ଆବଶ୍ୟକତା ରହିଛି । ସେହିପରି ଦୀର୍ଘ ୧୫ ମାସ ହେଲା ଶଯ୍ୟାଶାୟୀ ହୋଇ ପଡିରହିଥିବା ସୁଧାଂଶୁ ପାଇଁ ରେସନ କାର୍ଡ ସହ ଭିନ୍ନକ୍ଷମ ଭତ୍ତା ର ଆବଶ୍ୟକତା ରହିଥିଲେ ହେଁ ଜିଲ୍ଲାସ୍ତରରେ ମିଳୁଥିବା ଭିନ୍ନକ୍ଷମ ପ୍ରମାଣ ପତ୍ର ଏଥିପାଇଁ ବାଧକ ସାଜୁଥିବା କୁହାଯାଉଛି । ଘର ବାହାରକୁ ବାହାରିବା ସମ୍ଭବ ହୋଇପାରୁନଥିବା ବେଳେ ଦୀର୍ଘ ୭୦ କିମି ଦୂର ଜିଲ୍ଲା ମହକୁମାକୁ ଯାଇ ପ୍ରମାଣପତ୍ର ସଂଗ୍ରହ ସମ୍ଭବ ହୋଇ ପାରୁନଥିବା ହେତୁ ଏହି ଭତ୍ତା ହିମାଂଶୁ ଭାଗ୍ୟରେ ଜୁଟି ପାରୁନଥିବା ଜଣାଯାଇଛି । ଇତି ମଧ୍ୟରେ ଗାଁର ସମାଜସେବୀ ରାମଜୀ ପାଢୀଙ୍କ ଉଦ୍ୟମରେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଅନଲାଇନ ଆବେଦନ କରାଯାଇଥିଲେ ହେଁ ସଂପୂର୍ଣ୍ଣ ଭିନ୍ନକ୍ଷମ ହିମାଂଶୁକୁ କିପରି ଜିଲ୍ଲା ସଦର ମହକୁମା ନିଆଯିବ ସେ ନେଇ ପରିବାର ଓ ଗ୍ରାମବାସୀ ବେଶ ଚିନ୍ତିତ ହୋଇ ପଡିଥିବା ହେତୁ ଏଭଳି ଭିନ୍ନକ୍ଷମ ପାଇଁ ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ପ୍ରମାଣ ପତ୍ର ପାଇଁ ତ୍ୱରୀତ ବ୍ୟବସ୍ଥା କରିବାକୁ ଶ୍ରୀ ପାଢୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଗତ ୨୭ ଡିସେମ୍ବର ୨୦୨୦ରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଡେପୁଟି କଲେକ୍ଟର ଅଭିନାଶ ପାଣ୍ଡିଆ, କଣ୍ଟାମାଳ ବିଡିଓ ବନ୍ଦନା ଖଟୁଆ ଝିକେରପାଲି ଗ୍ରାମ ଗସ୍ତ ସମୟରେ ହିମାଂଶୁର ସ୍ୱାସ୍ଥ୍ୟବସ୍ଥା ଦେଖି ସହାୟତା ପାଇଁ କହି ଯାଇଥିବା ବେଳେ ଏବଂ ଗତ ସପ୍ତାହରେ ସ୍ଥାନୀ ୟ ସରପଞ୍ଚ ସମୀର ମାଝୀ ମଧ୍ୟ ହିମାଂଶୁ ଘରକୁ ଯାଇ ତାରି ଦୁରବସ୍ଥା ଦେଖିବା ସହ ପଞ୍ଚାୟତ ତରଫରୁ ଆବଶ୍ୟକ ସୁବିଧା ଦେବାକୁ କହିଥିବା ଜଣାଯାଇଛି । ହିମାଂଶୁର ଏଭଳି ଦୁର୍ଦ୍ଦିନରେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ରେଡକ୍ରସରୁ ଆବଶ୍ୟକ ସହାୟତା ଯୋଗାଇ ଦେବା ସହ ହିମାଂଶୁକୁ କିଭଳି ଏକ ଭିନ୍ନକ୍ଷମ ପ୍ରମାଣ ପତ୍ର ମିଳିପାରିବ ସେ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ତରଫରୁ ଅନୁରୋଧ କରାଯାଇଛି ।

Comments (0)
Add Comment